ନନ୍ଦନକାନନରେ ୩ ନୂଆ ଅତିଥୀ। ବାଘୁଣୀ ମେଘା ଜନ୍ମ ଦେଲା ୩ ପିଲା

ନନ୍ଦନକାନନକୁ ଆସିଲେ ନୂଆ ଅତିଥି

ଭୁବନେଶ୍ୱର: ନନ୍ଦନକାନନର ବାଘୁଣୀ ମେଘା ୩ ଟି ଛୁଆ ଜନ୍ମ ଦେଇଛି। ମଙ୍ଗଳବାର ରାତିରେ ଏହି ଶାବକ ମନେ ଜନ୍ମ ନେଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମହାବଳ ବାଘ ନନ୍ଦନ ସହ ମିଳନରେ ଏହି ଶାବକ ମାନେ ଜନ୍ମ ନେଇଛନ୍ତି। ବାଘଛୁଆଙ୍କୁ ବର୍ତ୍ତମାନ ସିସିଟିଭି ମାଧ୍ୟମରେ ଅନୁଧ୍ୟାନ କରାଯାଉଛି। ବାଘୁଣୀ ମେଘା ଓ ଶାବକ ମାନେ ସୁସ୍ଥ ଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହାସହ ନୂଆ ଅତିଥିଙ୍କ ଆଗମନ ସହ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୩୦ରେ ପହଁଚିଛି। ଏହାପୂର୍ବରୁ ଗତ ମାସ ୨୮ ତାରିଖରେ ବାଘୁଣୀ ବିଜୟା ତିନିଟି ଶାବକ ଜନ୍ମ ଦେଇଥିଲା। ବର୍ତ୍ତମାନ ନନ୍ଦନକାନନରେ ୭ଟି ଧଳା ବାଘ, ୪ଟି କଳା ବାଘ ବା ମେଲାନିଷ୍ଟିକ୍ ବାଘ ଓ ୧୩ଟି ବଡ ମହାବଳ ବାଘ ଅଛନ୍ତି।

ତେବେ ପବିତ୍ର ଦୋଳପୂର୍ଣ୍ଣିମାରେ ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଁ ଧଳା ରଙ୍ଗର ବାଘୁଣୀ ବିଜୟା ଖୁସି ଖବର ଆଣି ଦେଇଥିଲା। ତା’ ଗର୍ଭରୁ ୩ଟି ବାଘ ଶାବକ ଜନ୍ମ ନେଇଛନ୍ତି। ବିଜୟାର ଖୁଆଡ଼ ୨୧(ଗ)ରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଦେଖି କର୍ତ୍ତୃପକ୍ଷ ଏହି ସୂଚନା ଦେବା ସହ ଫଟୋ ଓ ଭିଡିଓ ଜାରି କରିଥିଲେ। ସାଧାରଣ ନାଲି ରଙ୍ଗର ମହାବଳ ବାଘ ସେଫ୍ ସହ ମିଳନରୁ ସେ ଗର୍ଭଧାରଣ କରିଥିଲା। ଗର୍ଭବତୀ ହେବାର ପାଖାପାଖି ୧୦୪ ଦିନ ପରେ  ଶାବକ ତିନିଟି ଜନ୍ମଲାଭ କରିଛନ୍ତି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଥିଲେ।

ଛୁଆଙ୍କର ଲିଙ୍ଗ ଚିହ୍ନଟ ହୋଇପାରିନାହିଁ। ସାଧାରଣ ନାଲି ରଙ୍ଗର ମହାବଳ ରୋଶନ୍‌ ଓ ଧଳା ବାଘୁଣୀ କୁସୁମର ମିଳନରୁ ବାଘୁଣୀ ବିଜୟା ଗତ ୨୦୧୦ ମାର୍ଚ୍ଚ ୧ ତାରିଖ‌‌ରେ ଜନ୍ମ ନେଇଥିଲା। ବିଜୟା ଗତ ୨୦୧୬ ଅଗଷ୍ଟ ୯ ତାରିଖରେ ରୋଶନ ମିଳନରୁ ପ୍ରଥମେ ଆଦିତି (ନାଲି) ଓ ସାହିଲ (ଧଳା)ଙ୍କୁ, ଦ୍ୱିତୀୟଥର ଗତ ୨୦୧୮ ସେପ୍ଟେମ୍ବର ୨୩ ତାରିଖରେ ରୋଶନ୍‌ ଔରସର ରାଜେଶ (ଧଳା) ଓ ରୂପା (ନାଲି) ବାଘକୁ ଜନ୍ମ ଦେଇଥିଲା। ଏ ପର୍ଯ୍ୟନ୍ତ ବିଜୟା ୩ଥର ଗର୍ଭବତୀ ହେବା ସହ ମୋଟ ୬ଟି ଶାବକଙ୍କୁ ଜନ୍ମ ଦେଇଛି।

ସୂଚନା ଯୋଗ୍ୟ, ନନ୍ଦନକାନନରେ ଧୀରେ ଧୀରେ ବାଘଙ୍କ ସଂଖ୍ୟା ବଢିବାରେ ଲାଗିଛି। ଚିଡ଼ିଆଖାନାରେ ବାଘ ଜନ୍ମ ହେବା ପରେ  ପର୍ଯ୍ୟଟକମାନେ ମଧ୍ୟ ବେଶ୍‌ ଖୁସି ଅଛନ୍ତି। କୁନି ଛୁଆ ବାଘକୁ ଦେଖିବା ଲାଗି ଯାତ୍ରୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। ତେବେ କେବେ ସେମାନଙ୍କୁ ଲୋକମାନେ ଦେଖିପାରିବେ ସେନେଇ ବର୍ତ୍ତମାନ ସମୟରେ କୌଣସି ସୂଚନା ମିଳିପାରିନାହିଁ।

You might also like