ରାଉରକେଲା ନାଲାରୋଡ୍ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ରାଉଲକେଲା: ୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ରାଉରକେଲା ନାଲା ରୋଡ୍ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।  କଣ୍ଟେନମେଣ୍ଟ ଜୋନ୍ ଘୋଷଣା ସହ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିଛି ରାଉରକେଲା ପୌରନିଗମ।  ଷଷ୍ଠ ପଜିଟିଭ ଆକ୍ରାନ୍ତ ନାଲାରୋଡ ବାସିନ୍ଦା ହୋଇଥିବାରୁ ନାଲାରୋଡ୍ ଅଞ୍ଚଳ ସଂଲଗ୍ନ ଅଞ୍ଚଳକୁ ଆଜିଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ରାଉରକେଲା ସହରର ଜନତା ନିବାସ ଲେନ ପଏଣ୍ଚଠାରୁ ମହତାବ ରୋଡ ପଏଣ୍ଟ, ମେନ୍ ରୋଡର ମଧ୍ୟଭାଗ ଅର୍ଥାତ ଜନତା ନିବାସ ଲେନ ଏବଂ ଅନ୍ୟପଟେ ଏଗ୍ ଓ ଭେଜିଟେବଲ୍ ଲେନ୍‌କୁ ସ୍ପର୍ଶ କରୁଥିବା ପଏଣ୍ଟକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଡେଲି ମାର୍କେଟର ଏଗ୍ ଓ ଭେଜିଟେବଲ୍ ଲେନ୍ ପଏଣ୍ଟଠାରୁ ରେଲେଓ୍ୱ ଲାଇନ୍ ବାଉଣ୍ଡାରୀ, ଆନନ୍ଦ ଭବନ ଲେନ୍‌ରୁ ରିଙ୍ଗରୋଡ୍ ସ୍ପର୍ଶ କରୁଥିବା ପଏଣ୍ଟ, ଆନନ୍ଦ ଭବନ ଲେନ୍‌ରୁ ବିଗ୍ ବଜାର ସ୍ପର୍ଶ କରୁଥିବା ମିଡିଲ୍ ପଏଣ୍ଟ, ନେତାଜୀ ମାର୍ଗ ଦେଇ  ରେଲେଓ୍ୱ ଲାଇନ୍ ସ୍ପର୍ଶ କରୁଥିବା ବିଗ ବଜାର ପାର୍ଶ୍ୱ ଲେନ୍‌ କଣ୍ଚେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।

ସେହିପରି କଣ୍ଚେନମେଣ୍ଟ ଜୋନ ସଂଲଗ୍ନ କିଛି ଅଞ୍ଚଳକୁ ବଫର ଜୋନ ଭାବେ ଚିହ୍ନଟ କରାଯାଇଛି।  କଣ୍ଚେନମେଣ୍ଟ ଜୋନରେ ଯାତାୟତ, ଯାନବାହାନ ଚଳାଚଳ, ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ଅନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବ। ଏହି ସମୟରେ ପ୍ରଶାସନ ପକ୍ଷରୁ ପ୍ରତିଦିନ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଲାଗି ଯୋଜନା କରାଯାଇଛି। ବଫର ଜୋନରେ କେବଳ ରାସନ ସାମଗ୍ରୀ ହୋଲ୍‌ସେଲ୍‌ ଦୋକାନ ହିଁ ଖୋଲିପାରିବ ବୋଲି ଜଣାପଡ଼ିଛି।  ସଂପୃକ୍ତ ଅଞ୍ଚଳରେ ନିୟମିତ ଭାବେ ଡାକ୍ତରୀ ଦଳ ପକ୍ଷରୁ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ଲାଗି ପଦକ୍ଷେପ ନିଆଯାଉଛି।

You might also like