୨୫ ବର୍ଷ ପରେ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ

ପୁରୀ: ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ। ମସ୍ତକରେ ହାଣ୍ଡିଆ, ହାତରେ ଛୁରୀ କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ଦର୍ଶନ ଦେବେ ମହାବାହୁ।

ଏ ବର୍ଷ ପଞ୍ଚକ ୫ ଦିନ ବଦଳରେ ୬ ଦିନ ପଡୁଥିବାରୁ ବିଧି ଅନୁସାରେ ମଳ ଦ୍ୱାଦଶୀରେ ମହାପ୍ରଭୁଙ୍କ ନାଗା ବେଶ ଲାଗି ମାସକ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଆସନ୍ତାକାଲି ବେଶ ଅନୁକୂଳ ଥିବାରୁ ତା ପୂର୍ବରୁ ସଂଗ୍ରହ ସରିଛି ଏସବୁ ଭଳିକି ଭଳି ସାମଗ୍ରୀ। ସନ୍ତରା ପଟ, ସୋଲ ଓ ବେତ ଆଦି ଦ୍ରବ୍ୟରେ ତିଆରି ହେବ ନାଗାର୍ଜୁନ ବେଶ ଲାଗି ସାଜ, ସରଞ୍ଜାମ।

୨୫ ବର୍ଷ ଅନ୍ତରରେ ଏ ବେଶ ପଡୁଥିବାରୁ ଏହାକୁ ନେଇ ବେଶ୍ ଉତ୍ସାହୀ ଓ ଭାବବିହ୍ୱଳ ହୋଇପଡ଼ିଛନ୍ତି ବେଶ ଶିଳ୍ପୀ। ଏପଟେ ଠାକୁରଙ୍କ ଏ ବିରଳ ବେଶ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷାରେ ଥିବାରୁ ସରକାର କିଛି ବ୍ୟବସ୍ଥା କରିବା ଆଶାରେ ଅଛନ୍ତି ଭକ୍ତ ଓ ଜଗନ୍ନାଥ ସଂସ୍କୃତି ପ୍ରେମୀ।

ଏପଟେ ଆଉ ଦିନକ ପରେ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ବ୍ରତ। ଧର୍ମମାସ କାର୍ତ୍ତିକରେ ହବିଷ୍ୟାଳିଙ୍କ ଗହଣରେ କମ୍ପି ଉଠିବା କଥା ଶ୍ରୀମନ୍ଦିର ଚତୁଃପାର୍ଶ୍ୱ। ହେଲେ କରୋନା ପାଇଁ ବଡ଼ଦେଉଳ ବନ୍ଦ ଥିବାରୁ ସିଂହଦ୍ୱାର ସାମ୍ନାରେ ଦର୍ଶନ ଫେରୁଛନ୍ତି କିଛି ହାତଗଣତିି ବ୍ରତଧାରୀ।

କୋଭିଡ କଟକଣା ପାଇଁ ଏ ବର୍ଷ ହବିଷ୍ୟାଳିଙ୍କ ଲାଗି କୌଣସି ବ୍ୟବସ୍ଥା ନଥିବାରୁ ଖାଁ ଖାଁ ଲାଗୁଛି ପୁରୀ ସହର। ସେପଟେ କାର୍ତ୍ତିକରେ ଶ୍ରୀଜିଉଙ୍କ ନୀତିକାନ୍ତି ପାଳନ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ହୋଇଛି ନୀତିକାନ୍ତି। ଏହା ପୂର୍ବରୁ ୧୯୯୪ ମସିହାରେ ଅନୁଷ୍ଠିତ ହୋଇଥିଲା ଶ୍ରୀଜିଉଙ୍କ ଦିବ୍ୟ ଦୁର୍ଲଭ ନାଗାର୍ଜୁନ ବେଶ।

You might also like