କରୋନାକୁ ନେଇ ବେଫିକର ନଗଡ଼ାବାସୀ

ଆମର କିଛି ହେବ ନାହିଁ

  • କରୋନାକୁ ନେଇ ବେଫିକର ନଗଡ଼ାବାସୀ
  • ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିଲା ଓଟିଭି
  • ସ୍ୱାସ୍ଥ୍ୟ ବିଭାଗର ଅବହେଳାକୁ ଦାୟୀ କଲେ ଲୋକେ

ଯାଜପୁର(ଅଭୟ ପତି): ମହାମାରୀର ମୁଠାରେ ଏବେ ସାରା ବିଶ୍ୱ ଥିବାବେଳେ ଏକଦା ଅପହଞ୍ଚ ଓ ଅପପୁଷ୍ଟିର ଇଲାକା ଭାବେ ପରିଚିତ ଯାଜପୁର ଜିଲ୍ଲା ନଗଡାରେ କିନ୍ତୁ ସ୍ଥିତି ଭିନ୍ନ ରହିଛି। ଏଠି ଲୋକ କରୋନାକୁ ନେଇ ବେଫିକର। ଆମର ଠାକୁର ଅଛନ୍ତି, ଆମେ ଦେଶୀ ମେଡିସିନ୍ ଖାଉଛୁ, କିଛି ହବନି ବୋଲି କହିଛନ୍ତି ନଗଡ଼ା ବାସୀ। ଓଟିଭି ଗ୍ରାଉଣ୍ଡ ରିପୋର୍ଟ ପାଇଁ ନଗଡାକୁ ଯାଇ ତଥ୍ୟ ସଂଗ୍ରହ କରିବା ବେଳେ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ଆଉ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଗାଁକୁ ନଯାଇ ରାସ୍ତା ଉପରୁ ସର୍ଭେ ଓ ସଚେତନ କରି ଫେରି ଆସୁଥିବା ଅଭିଯୋଗ ମଧ୍ୟ କରିଛନ୍ତି।

ଏକଦା ଅପହଞ୍ଚ ଓ ଅପପୁଷ୍ଟିର ଇଲାକା ଭାବେ ପରିଚିତ ଯାଜପୁର ଜିଲ୍ଲା ନଗଡ଼ାରେ କିଭଳି ରହିଛି କରୋନା ସ୍ଥିତି? ତାହା ଜାଣିବା ପାଇଁ ଆମେ ପହଞ୍ଚିଥିଲୁ ନଗଡ଼ାରେ। ଉପର ନଗଡା, ମଝି ନଗଡା ଏବଂ ପରେ ପରେ ଏଗାର ହଜାର ଫୁଟ ଉଚ୍ଚରେ ଥିବା ତଳ ନଗଡାରେ ପହଞ୍ଚିବା ପରେ ଦେଖିଥିଲୁ କରୋନାର ଭୟାବହତା ସମ୍ପର୍କରେ ଏଠାକାର ଲୋକେ ବିଲକୁଲ ଜାଣିନାହାନ୍ତିା କେହି ମାସ୍କ ପିନ୍ଧୁନାହାନ୍ତିା ସାମାଜିକ ଦୂରତା କଥା ନକହିବା ଭଲ। ତେବେ କାହିଁକି ମାସ୍କ ପିନ୍ଧୁନାହାନ୍ତି ବୋଲି ପଚାରିବାରୁ ଦେଇଥିଲେ ଅଜବ ଉତ୍ତର। ଆମେ ପାହାଡ଼ି ଇଲାକାର ଜନଜାତି, ଦେଶୀ ଚେରମୂଳି ଔଷଧ ଖାଉଛୁ। ତା ସହ ଆମର ଠାକୁର ଅଛନ୍ତି, ତେଣୁ କରୋନା ଆମ ପାଖ ମାଡ଼ିବ ନାହିଁ ବୋଲି କହିଥିଲ।

କରୋନାର ପ୍ରକୋପ କିଭଳି ସାରା ବିଶ୍ୱକୁ ଗ୍ରାସିଛି, ତାହା ସେମାନଙ୍କୁ ବୁଝାଇବା ପରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ନିୟମ ସମ୍ପର୍କରେ ସେମାନଙ୍କ ମୁହଁରୁ ଶୁଣିବାକୁ ଚାହିଁଥିଲୁା ତେବେ ସେମାନଙ୍କ ଅଭିଯୋଗ ଥିଲା, ସ୍ୱାସ୍ଥ୍ୟ ବିଭାଗ ଏଠାକୁ ଆସୁଛନ୍ତି ହେଲେ କରୋନା ଭୟରେ ଗାଁ ଭିତରକୁ ପଶୁନାହାନ୍ତି। ରାସ୍ତା ଉପରେ ଛିଡ଼ାହୋଇ କରୋନା ବିଷୟରେ ଆଲୋଚନା କରି ଫେରିଯାଉଛନ୍ତିା ଏକଥା ଖୋଦ ସେଠାକାର ନିର୍ବାଚିତ ଜନପ୍ରତିନିଧି କହିଛନ୍ତିା ଫଳରେ ସରକାରଙ୍କ କରୋନା ସଚେତନତା ନଗଡ଼ାରେ କେବଳ କାନ୍ଥବାଡ଼ରେ ସୀମିତ ହୋଇ ରହିଯାଇଥିବା ଦେଖିବାକୁ ମିଳିଛି।

ତେବେ ଏଠାରେ ସୂଚନା ଦେଉଛୁ ଯେ, ରାଜ୍ୟରେ କିଛି ଦିନର ଅନ୍ତର ପରେ ପୁଣି ଥରେ ବଢିଛି ସଂକ୍ରମଣର ସଂଖ୍ୟା। ଓଡ଼ିଶାରେ କିଛିଦିନ ଧରି ସଂକ୍ରମିତଙ୍କ ସଂଖ୍ୟା କମିଥିବା ବେଳେ ଆଜି  ସଂକ୍ରମିତଙ୍କ ସଂଖ୍ୟା  ୮ ହଜାର ଉପରେ ରହିଛି । ଗତକାଲି ତୁଳନାରେ ମୃତ୍ୟୁ ସଂଖ୍ୟା ଆଜି ବୃଦ୍ଧି ପାଇଛି। ଗତକାଲି ରାଜ୍ୟରେ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ୩୫ ଜଣଙ୍କର ମୃତ୍ୟୁ ଘଟିଛି।  ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୫୪କୁ ବୃଦ୍ଧି ପାଇଛି।

You might also like