‘ଆମର ଠାକୁର ଅଛନ୍ତି,  ଆମେ ମାସ୍କ ପିନ୍ଧିବୁନି ’

ନଗଡାରେ ସରକାରଙ୍କ ସଚେତନତା କେବଳ କାନ୍ଥବାଡ଼ରେ ସୀମିତ

ଯାଜପୁର(ଅଭୟ ପତି):’ଆମେ ମାସ୍କ ପିନ୍ଧିବୁନି, ଆମର ଠାକୁର ଅଛନ୍ତି। ଆମର କିଛି ହବନି’। ଏଭଳି ରୋକଠୋକ ବାଣୀ ଶୁଣାଇଛନ୍ତି ନଗଡାବାସୀ। ଅପପୃଷ୍ଟିର ଇଲାକା ଭାବେ ପରିଚିତ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଓଟିଭି ପକ୍ଷରୁ ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା ସମୟରେ ନଗଡ଼ାବାସୀ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ଅନ୍ୟପଟେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଗାଁକୁ ନଯାଇ ରାସ୍ତା ଉପରୁ ସର୍ଭେ ଓ ସଚେତନ କରି ଫେରି ଆସୁଥିବା ଅଭିଯୋଗ ମଧ୍ୟ କରିଛନ୍ତି।

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡାରେ କୋବିଡ଼ର ସ୍ଥିତି କିଭଳି ଅଛି ? ତାହା ଜାଣିବା ପାଇଁ ଓଟିଭି ଟିମ୍ ପହଞ୍ଚିଥିଲା ନଗଡାରେ। ବର୍ଷା ଯୋଗୁଁ ଅନେକ ସ୍ଥାନରେ ତିଆରି ହୋଇଥିବା ଅସ୍ଥାୟୀ ରାସ୍ତା ଗୁଡ଼ିକ ଧୋଇ ଯାଇଥିଲା। ଅନେକ ବାଟ ଚାଲିବା ପରେ ନଗଡା, ମଝି ନଗଡା ଏବଂ ପରେ ପରେ ଏଗାର ହଜାର ଫୁଟ ଉଚ୍ଚରେ ଥିବା ତଳ ନଗଡାରେ ପହଞ୍ଚିଥିଲା ଟିମ୍‌। ସେଠାରେ ପହଞ୍ଚିବା ପରେ ଜଣାପଡ଼ିଲା କରୋନା ଏବଂ ଏହାର ଭୟାବହତା କଣ, ସେମାନେ ବିଲକୁଲ ଜାଣିନାହାନ୍ତି। କାହାରି ମୁହଁରେ ମାସ୍କ ନଥିଲା, ନା କେହି ସାମାଜିକ ଦୂରତ୍ୱ ନିୟମ ମାନୁଥିଲେ । ତେବେ ସଂକ୍ରମଣ ସମ୍ପର୍କରେ ପଚାରିବାରୁ ଅଦ୍ଭୁତ ଉତ୍ତର ମିଳିଲା। ଆମେ ପାହାଡ଼ି ଇଲାକାର ଜନଜାତି, ଆମର ଠାକୁର ଅଛନ୍ତି। ଆମର କିଛି ହବନାହିଁ। ଆମେ ମାସ୍କ ପିନ୍ଧିବୁନାହିଁ। କରୋନା ଆମ ପାଖକୁ ଆଦୌ ଆସିବନାହିଁ ବୋଲି ସେମାନେ ଉତ୍ତର ଦେଇଥିଲେ।

ଏହାପରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ସ୍ଥାନୀୟ ଅଞ୍ଚଳରେ କିପରି ସ୍ୱାସ୍ଥ୍ୟସେବା ଯୋଗାଉଛି ବୋଲି କିଛି ଲୋକଙ୍କୁ ପ୍ରଶ୍ନ କରାଯାଇଥିଲା । ଆଉ ସେମାନେ ଯାହା କହିଲେ ତାହା ଶୁଣି ପାଦତଳୁ ମାଟି ଖସିଯିବ । ସେମାନଙ୍କ ଅଭିଯୋଗ ଥିଲା ସ୍ୱାସ୍ଥ୍ୟ ବିଭାଗ ଏଠାକୁ ଆସୁଛନ୍ତି ହେଲେ କରୋନା ଭୟରେ ଗ୍ରାମ ଭିତରକୁ ପସୁନାହାନ୍ତି। ରାସ୍ତା ଉପରେ ଛିଡ଼ାହୋଇ କରୋନା ବିଷୟରେ ଆଲୋଚନା କରି ଫେରିଯାଉଛନ୍ତି। ଆମେ ତୁଙ୍ଗା ବେଙ୍ଗା ଖାଇ ରହୁଛୁ, ସେଇଟା ଆମର ଦେଶୀ ମେଡିସିନ। ପାହାଡର ଖଣ୍ଡୁରାଇ ଠାକୁର ଅଛନ୍ତି, ଆମର କିଛି ହେବନାହିଁ। ଏକଥା ଖୋଦ ସେଠାକାର ନିର୍ବାଚିତ ପ୍ରତିନିଧି ତଥା ୱାର୍ଡମେମ୍ବର ଦେଶ ପ୍ରଧାନ ଏବଂ ରବି ପ୍ରଧାନ କହିଛନ୍ତି। ସରକାରଙ୍କ ସଚେତନତା କେବଳ କାନ୍ଥବାଡ଼ରେ ସୀମିତ ହୋଇ ରହିଯାଇଥିବା ଦେଖିବାକୁ ମିଳିଛି।

You might also like