ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ନବରଙ୍ଗପୁର: ନବରଙ୍ଗପୁରରେ ମକା ପ୍ରକ୍ରିୟାକରଣ ୟୁନିଟ ନିର୍ମାଣକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବାକୁ ଆସିବାଥିବାବେଳେ ୬ ଜଣଙ୍କୁ ପୋଲିସ ଉଠାଇନେଇଥିବା ଅଭିଯୋଗ ହୋଇଛି।

ଏହାର ପ୍ରତିବାଦ କରି ଉତ୍ତ୍ୟକ୍ତ ଲୋକେ ନବରଙ୍ଗପୁର ଥାନା ଘେରାଉ କରିବା ସହ ଜାତୀୟ ରାଜପଥ ଅବରୋଧ କରିଛନ୍ତି l ଥାନା ଭିତରକୁ ଯିବାକୁ ଚେଷ୍ଟା କରିବା ବେଳେ ପୋଲିସ ସେମାନଙ୍କୁ ଫାଟକ ଠାରେ ଅଟକାଇ ଥିଲା। ହେଲେ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି  ହୋଇଥିଲା।

ଘଟଣା ମୁତାବକ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ତହସିଲ ଅନ୍ତର୍ଗତ ବାମୁଣୀ ମୌଜାର ଏକ ଜମିକୁ ଜିଲ୍ଲା ପ୍ରଶାସନ ଇଡକୋକୁ ହସ୍ତାନ୍ତର କରିଛିl ଏବେ ସେହି ଜମି ଅଧିଗ୍ରହଣ କରି ସେଥି ମଧ୍ୟରୁ ୫୨ ଏକର ଜମିକୁ ବିଜୟନଗର ବାଇଓଟେକ ପ୍ରାଇଭେଟ ଲିମିଟେଡ୍‌କୁ ମକା ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ପାଇଁ ଲିଜ୍ ସୂତ୍ରରେ ଦିଆଯାଇଛି। କିନ୍ତୁ ଗ୍ରାମବାସୀ ଏହକୁ ବିରୋଧ କରିଛନ୍ତି।

ଆଜି ଶତାଧିକ ଗ୍ରାମବାସୀ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଏନେଇ ଦାବିପତ୍ର ଦେବାକୁ ଆସୁଥିବା ବେଳେ ପୋଲିସ ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଫଳରେ  ଉତ୍ତ୍ୟକ୍ତ ଗ୍ରାମବାସୀ ଥାନା ଘେରାଉ କରିବା ସହ ରାଜରାସ୍ତା ଅବରୋଧ କରିଥିଲେl ଘଟଣା ସ୍ଥଳରେ ନବରଙ୍ଗପୁର ଉପଜିଲ୍ଲାପାଳ, ଏସ.ପି ଆସି ବୁଝାସୁଝା କରିଥିଲେ। ତେବେ ଏନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।

You might also like