- ରୋଜଗାରର ମାଧ୍ୟମ ପାଲଟିଛି ଛତୁ ଚାଷ
- ଗାଁର ପ୍ରତି ଘରେ ଜଣେ ଜଣେ ପାଲଟିଛନ୍ତି ସଫଳ ଛତୁ ଚାଷୀ
- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ନିଆରା ପଥରଖମ୍ବ ଗାଁ
- ସ୍ୱାବଲମ୍ବୀ କରାଇବା ସହ ପରିବାରର ଗୁଜୁରାଣ ମେଣ୍ଟାଉଛି ଛତୁ ଚାଷ
କାମାକ୍ଷାନଗ(ବିଦ୍ୟାଧର ବରାଳ) ରୋଜଗାରର ମାଧ୍ୟମ ପାଲଟିଛି ଛତୁ ଚାଷ। ଲୋକଙ୍କୁ ସ୍ୱାବଲମ୍ବୀ କରିବା ସହ ପରିବାରର ଗୁଜୁରାଣ ମେଣ୍ଟାଇ ପାରୁଛି ଏହି ଚାଷ। ଗାଁର ଘରେ ଘରେ ଲୋକେ ପାଲଟିଛନ୍ତି ଜଣେ ଜଣେ ସଫଳ ଛତୁ ଚାଷୀ। ଯୁଆଡେ ଆଖି ବୁଲାଇବେ କେବଳ ଛତୁ ଚାଷ ହିଁ ନଜରରେ ପଡିବ। ଏହି ଗାଁରେ ପ୍ରାୟ ସମସ୍ତଙ୍କ ଜମିରେ ନଡା ବେଡ୍ ପଡିଥିବାର ଦୃଶ୍ୟ ଆପଣ ଦେଖିପାରିବେ। ଏ ହେଉଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ପଥରଖମ୍ବ ଗାଁ। ଯେଉଁଠି ୬୦ ଭାଗ ଲୋକଙ୍କର ପ୍ରଧାନ ଜୀବିକା ହେଉଛି ଛତୁ ଚାଷ।
ସକାଳୁ ସଂଜ ଯାଏ ଗାଁଲୋକେ ଲାଗିଥାନ୍ତି ଏଇଥିରେ। ନଡାରେ ପାଣି ଦେବା, ମଂଜି ବିଛାଇବା ଯାଏ ସବୁ କାମ କରନ୍ତି ପରିବାରର ସବୁ ସଦସ୍ୟ। ଛତୁ ଚାଷ ପାଇଁ ଗୋଟିଏ ବେଡ୍ ପିଛା ୭୦ରୁ ୮୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଗୋଟିଏ ଗୋଟିଏ ବେଡ୍ ରୁ ପ୍ରାୟ ୨ରୁ ୩ କିଲୋଗ୍ରାମର ଛତୁ ଫୁଟିଥାଏ। ଖରିଫ ଋ଼ତୁରେ ଧାନ ଚାଷ ସହ ରବି ଋ଼ତୁରେ ଛତୁ ଚାଷ ଗାଁଲୋକଙ୍କୁ ଦେଇଛି ରୋଜଗାରର ବଡ଼ ମାଧ୍ୟମ। ଏହାସହ ଉଷ୍ମ ଜଳବାୟୁ ଓ ପାଣିର ସୁବିଧା ହେତୁ ଏହି ଚାଷ ବେଶ୍ ଭଲ ହେଉଥିବା କହିଛନ୍ତି ଗ୍ରାମବାସୀ।
ସେପଟେ ଚାଷୀ କହିଛନ୍ତି ଯେ, ମାର୍କେଟ୍କୁ ନଜରରେ ରଖି ଛତୁ ଚାଷ ଆମେ କରୁଛୁ। କେତେବେଳେ ୧୦୦ ଟଙ୍କାରେ ତ ଆଉ କେତେବେଳେ ୧୨୦ ଟଙ୍କାରେ ଛତୁ ବିକୁଛୁ। ଧାରକରଜ କରି ପ୍ରଥମେ ଚାଷ ଆରମ୍ଭ କରିଥିବା ଚାଷୀମାନେ କହିଛନ୍ତି। ସେହିପରି ଜଣେ ମହିଳା ଚାଷୀ କହିଛନ୍ତି ଗାଁରେ ଆମେ ଅନେକ ଦିନ ହେଲାଣି ଛତୁ ଚାଷ କରୁଛୁ। ସିଜିନ୍ ଆସିଲେ ବେପାର ବି ଭଲ ହୁଏ।
ଏହି ଅଂଚଳରେ ଛତୁର ସେଭଳି ବଜାର ନଥିବାରୁ ଦୂରଦୁରାନ୍ତରୁ ବେପାରୀ ମାନେ ଆସି ଗାଁଲୋକଙ୍କଠୁ ଛତୁ କିଣି ନେଇଥାନ୍ତି। ଏହାବାଦ୍ ଆଉ କିଛି ଚାଷୀ ରାସ୍ତାକଡରେ ବି ଛତୁ ବିକ୍ରି କରିଥାନ୍ତି। ତେବେ ଅଂଚଳରେ ଛତୁ ପାଇଁ ଏକ ସ୍ୱତନ୍ତ୍ର ବଜାର ଏବଂ ଚାଷୀଙ୍କ ପାଇଁ ସରକାରୀ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରାଗଲେ ସେମାନେ ଉପକୃତ ହୁଅନ୍ତେ ବୋଲି ଦାବି କରିଛନ୍ତି ଚାଷୀ।