ଫୋନି ମାଡ଼ରେ ବଦଳିଯାଇଛି ରାଜ୍ୟର ତିନି ପ୍ରମୁଖ ସଂଗ୍ରହାଳୟର ଛବି

ଭୁବନେଶ୍ୱର: ଫୋନି ମାଡ଼ରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ରାଜ୍ୟର ତିନି ପ୍ରମୁଖ ସଂଗ୍ରହାଳୟ । କଟକର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ, ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟ ଓ ଭୁବନେଶ୍ୱରରେ ଥିବା ରିଜିଓନାଲ୍ ମ୍ୟୁଜିୟମ୍ ଅଫ୍ ନ୍ୟାଚୁରାଲ୍ ହିଷ୍ଟ୍ରି। ସବୁର ଭିତ୍ତିଭୂମିକୁ ବିଗାଡ଼ି ଦେଇଛି ଫୋନି। ବାତ୍ୟା ପରଠାରୁ ଏ ତିନି ସଂଗ୍ରହାଳୟକୁ ବନ୍ଦ କରି ଦିଆଯାଇଛି। ତେବେ ସୌଭାଗ୍ୟକୁ ସଂଗ୍ରହାଳୟ ଗୁଡ଼ିକର କିର୍ତ୍ତୀରାଜି ଉପରେ କିଛି ବି ପ୍ରଭାବ ପ଼ଡିନି।

ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଓ ଓଡ଼ିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ। ଫୋନି ତାଣ୍ଡବରେ  ଉଭୟ ହୋଇଯାଇଛି ନଷ୍ଟଭ୍ରଷ୍ଟ ।  କଟକ ପର୍ଯ୍ୟଟନର ଏ ଦୁଇ ପ୍ରମୁଖ ପରିଚୟ। ମ୍ୟୁ଼ଜିୟମ୍‌ର ଶୋଭା ବଢ଼ାଉଥିବା ବଡ଼ ବଡ଼ ଗଛ, ସୁନ୍ଦର ଆକର୍ଷଣୀୟ ଲନ୍ ସବୁକିଛି ଧୂଳିସାତ୍ ହୋଇଯାଇଛି। ସଂଗ୍ରହାଳୟର ବାମ ଏବଂ ଦକ୍ଷିଣ ପଟ ବିଲ୍ଡିଂର ଟିଣ ଛାତ ଆଉ ନାହିଁ। କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଫୋନି ମାଡ଼ରେ ସଂଗ୍ରହାଳୟର ପାଖାପାଖି ୪୦ ପ୍ରତିଶତ ଭିତ୍ତିଭୂମି ନଷ୍ଟ ହୋଇଛି। ତେବେ ଟିଣ ଛାତ ଉଡ଼ିଯାଇଥିଲେ ବି ତା ତଳକୁ ଆଉ ଏକ ସିଲିଂ ଥିବାରୁ ଆଣ୍ଟିକ୍ ସବୁର କୌଣସି କ୍ଷତି ହୋଇନାହିଁ। ସ୍ଥିତିକୁ ଦେଖି ଆସନ୍ତା ସୋମବାର ପର୍ଯ୍ୟନ୍ତ ସଂଗ୍ରହାଳୟକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି।

ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିସରର ଦୃଶ୍ୟ ମଧ୍ୟ ଏକାଭଳି। ଚାରିଆଡେ ଭଙ୍ଗାଉପୁଡ଼ା ଗଛ। ନାରଖାର ପରିବେଶ। ତେବେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ସଂଗ୍ରହାଳୟର ମୁଖ୍ୟ ଆକର୍ଷଣ ପାର୍କ। ମାଟିରେ ମିଶିଯାଇଛି ବହୁ ଔଷଧୀୟ ବୃକ୍ଷରାଜି। ତେବେ ସୌଭାଗ୍ୟକୁ ସଂଗ୍ରହାଳୟ ଭିତରେ ସମସ୍ତ ସାମଗ୍ରୀ ଓ କୀର୍ତ୍ତିରାଜୀ ସୁରକ୍ଷିତ ଥିବା କର୍ତ୍ତୃପକ୍ଷ କହିଛନ୍ତି।

ଏପଟେ ଭୁବନେଶ୍ୱର ଆଚାର୍ଯ୍ୟ ବିହାରଠାରେ ଥିବା ରାଜ୍ୟ ପର୍ଯ୍ୟଟନର ଅନ୍ୟତମ ଆକର୍ଷଣ ରିଜିଓନାଲ୍ ମ୍ୟୁଜିୟମ୍ ଅଫ୍ ନ୍ୟାଚୁରାଲ୍ ହିଷ୍ଟ୍ରି ମଧ୍ୟ ଧ୍ୱସ୍ତ ବିଧ୍ୱସ୍ଥ ହୋଇଛି।  ଫୋନି ମାଡ଼ରେ ମ୍ୟୁଜିୟମ୍ ବିଲଡିଂର ରୁଫ୍ ଟପ୍ ଉଡ଼ିଯାଇଛି । ଏଠାରେ ପ୍ରାୟ ୨ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ପରିସରରେ ଥିବା ବଡ଼ ବଡ଼ ଗଛ ସହ ବହୁ ଔଷଧୀୟ ଗୁଳ୍ମ ନଷ୍ଟ ହୋଇଛି । ଏଣୁ ବିଦ୍ୟୁତ୍ ନ ଥିବାରୁ ମ୍ୟୁଜିୟମ୍‌ର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।

You might also like