ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା !

ଜଳେଶ୍ୱର: ବାଲେଶ୍ୱର କମର୍ଦ୍ଦା ଥାନା ଅନ୍ତର୍ଗତ କୁରୁଣ୍ଠିଆପଦା ନିକଟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ କରୁଠିଆ ଗାଁର ରତନ ଦାସ ଓରଫ୍ ଜଗା। ଗତକାଲି ରାତିରେ ଜଗାକୁ କେହି ହତ୍ୟା କରି ଫେରାର ହୋଇଯାଇଥିବା ସୂଚନା ମିଳିଛି। 

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଜଗା ଗାଁ ରାସ୍ତାରେ ଛିଡ଼ା ହୋଇ ଜୋରଜବରଦସ୍ତ ଗାଡ଼ିରୁ ଚାନ୍ଦା ଆଦାୟ କରୁଥିଲା। ଏହି ସମୟରେ କିଛି ଗାଡ଼ି ମାଲିକଙ୍କ ସହ ତା’ର ପାଟିତୁଣ୍ଡ ହୋଇଥିଲା। ଏପରିକି ମାର୍‌ପିଟ୍‌ ମଧ୍ୟ ହୋଇଥିଲା। ଏହାପରେ ତାକୁ କେହି ହତ୍ୟା କରିଥିବା ଅନୁମାନ କରାଉଛି। ଖବରପାଇ ଆଜି ସକାଳେ ପୋଲିସ୍‌ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି। ଜଗାକୁ କିଏ ଓ କାହିଁକି ହତ୍ୟା କଲା, ସେନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି।

ସୂଚନାଥାଉ କି, ପୂର୍ବରୁ ଜଗା ନାଁରେ କମର୍ଦ୍ଦା ଓ ଜଳେଶ୍ୱର ଥାନାରେ ୭ରୁ ଅଧିକ ସଙ୍ଗୀନ ମାମଲା ରହିଛି। ଡକାୟତି, ଚୋରା ବନ୍ଧୁକ ରଖିବା ଓ ହତ୍ୟା ଧମକ ଭଳି ଆଦି ମାମଲା ରହିଛି। ଏମିତିକି ରାଜ୍ୟ ବାହାରେ ବି ଜଗା ଅପରାଧିକ କାର୍ଯ୍ୟକଳାପ କରୁଥିଲା। ଗୋଆ ଥାନାରେ ବି ତା’ ନାଁରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି।

You might also like