ମାହାଙ୍ଗାରେ ବିଜେପି ନେତା ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣା; ୪ ଅଟକ

କଟକ: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାରେ ପୋଲିସ୍‌ ୪ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ କଟକ ଗ୍ରାମାଞ୍ଚଳ ପୋଲିସ୍‌ ଅଟକ ରଖିଥିବା ଜଣାପଡ଼ିଛି। ସେମାନଙ୍କୁ ଅଜ୍ଞାତ ସ୍ଥାନରେ ରଖି ପୋଲିସ ଜେରା କରୁଛି। ୪ ଅଭିଯୁକ୍ତ ଅଟକ ନେଇ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଟିମ୍‌ର ଚଢ଼ାଉ ଜାରି ରହିଛି।

ଗତ ଦୁଇ ତାରିଖରେ ମାହାଙ୍ଗା ବ୍ଳକ୍‌ର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ FIR ଓ ଅନ୍ୟ ଅଭିଯୁକ୍ତ କୁହାଯାଉଥିବା ବ୍ୟକ୍ତିଙ୍କ ସହ ବିଜେଡି ନେତାଙ୍କ ଫଟୋକୁ ନେଇ ରାଜନୀତି ଅଧିକ ତେଜିଛି।

ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଆଜି ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ସରକାରୀ ବାସଭବନ ଘେରାଉ କରାଯାଇଛି। ଛାତ୍ର ଓ ଯୁବ କଂଗ୍ରେସ ନେତାମାନେ ଭୁବନେଶ୍ୱର ଶିଶୁ ଭବନ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ଯାଇ ମନ୍ତ୍ରୀଙ୍କ ଘର ଘେରାଉ କରିଛନ୍ତି। ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ। ଆନ୍ଦୋଳନକୁ ଦୃଷ୍ଟିରେ ରଖି ମନ୍ତ୍ରୀଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା ବଢାଇଛି ପୋଲିସ।

You might also like