କୋର୍ଟ ପରିସରରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ କୋର୍ଟ ପରିସରରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଝସକେତନ ରାଉତ ଗିରଫ ହୋଇଛି।  ଝସକେତନକୁ ଦେବଗଡ଼ ଜିଲ୍ଲାରୁ ପୁଲିସ୍ ଗିରଫ କରିଛି।

ସୂଚନା ଅନୁସାରେ, ଝସକେତନ ୨୦୧୬ ମସିହା ଫେବ୍ରୁଆରୀ ୪ ତାରିଖରେ ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗାଁର ଦୁଇ ଜଣ ଯୁବକଙ୍କୁ ହତ୍ୟା କରିଥିଲା।

ସେହିଭଳି ୨୦୧୫ ମସିହା ମେ’ ୨୨ ତାରିଖରେ ଛେଣ୍ଡିପଦ ଥାନା କୁକୁରପେଟା ଗାଁର ଜଣେ ବ୍ୟକ୍ତି ଓ ତାଙ୍କ ମାଉସୀଙ୍କୁ ମଧ୍ୟ ସେ ହତ୍ୟା କରିଥିଲା। ଘଟଣାର ଖୋଳତାଡ଼ କରିବା ପାଇଁ ପୁଲିସ୍‌ ତାକୁ ରିମାଣ୍ଡରେ ଆଣି ମାଟି ତଳୁ ମାଉସୀ- ପୁତୁରାର କଙ୍କାଳ ଉଦ୍ଧାର କରିଥିଲା।

ଦୁଇ ଯୁବକଙ୍କ ହତ୍ୟା ମାମଲାରେ ପୁଲିସ୍ ଝସକେତନକୁ ୨୦୧୬ ମସିହା ଫେବ୍ରୁଆରୀ ୧୧ ତାରିଖରେ ଗିରଫ କରିଥିଲା। ତେବେ ଜେରା ବେଳେ ସେ ମାଉସୀ-ପୁତୁରାକୁ ବି ମାରିଥିବା କଥା ସ୍ୱୀକାର କରିଥିଲା। ସେ ଅନୁଗୁଳ ଜେଲ୍‌ରେ ବିଚାରାଧୀନ ବନ୍ଦୀ ଭାବେ ସଜା କାଟୁଥିଲା। ହେଲେ ଗତବର୍ଷ ମେ’ ୧୮ ତାରିଖରେ ଅନୁଗୁଳ କୋର୍ଟକୁ ଅଣାଯାଇଥିବା ବେଳେ ସେ ଶୌଚ ବାହାନା କରି ସେଠାରୁ ଚମ୍ପଟ୍ ମାରିଥିଲା।

ଝସକେତନ ଛେଣ୍ଡିପଦା ଓ ଜରପଡ଼ା ଅଞ୍ଚଳରେ ଅର୍ଥତତ୍ତ୍ୱ କମ୍ପାନୀର ଏଜେଣ୍ଟ ସାଜି ଅଧିକ ସୁଧ ଦେବା ଆଳରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ବି ରହିଛି।

You might also like