ପୌର ନିର୍ବାଚନ ବାଟ ଏବେ ଏକ ପ୍ରକାର ବନ୍ଦ

ଆଗୁଆ ସାଧାରଣ ନିର୍ବାଚନ ଆଳରେ ଚୁପ୍ ବସିଛନ୍ତି କି ସରକାର ?

ଭୁବନେଶ୍ୱର : ଅାସନ୍ତା ସେପ୍ଟେମ୍ବର ୩୦ରେ ଶେଷ ହେଉଛି ୬୫ଟି ପୌର ପରିଷଦର କାର୍ଯ୍ୟକାଳ। ହେଲେ ସେସବୁ ସ୍ଥାନରେ ନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ ଅାଗେଇ ପାରିନାହିଁ ପ୍ରକ୍ରିୟା। ଏଥିରେ ବାଧକ ସାଜିଛି ସଂରକ୍ଷଣ ଓ ଓ୍ୱାର୍ଡ ପୁନର୍ଗଠନ। ରାଜ୍ୟ ସରକାର ଏପର୍ଯ୍ୟନ୍ତ ରାଜ୍ୟ ନିର୍ବାଚନ କମିଶନ୍‌ଙ୍କୁ ଓ୍ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ତାଲିକା ଦେଇନାହାଁନ୍ତି।

ସେପଟେ ପୌର ପରିଷଦଗୁଡ଼ିକରେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତ ଭିତରେ ରଖିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ ଏହାକୁ ଚ୍ୟାଲେଂଜ କରି ନଗର ଉନ୍ନୟନ ବିଭାଗ ସୁପ୍ରିମକୋର୍ଟ ଯାଇଛି। ଏଭଳି ସ୍ଥିତିରେ ସେପ୍ଟେମ୍ବରରେ ପୌର ନିର୍ବାଚନ ବାଟ ଏକ ପ୍ରକାର ବନ୍ଦ। ସେପଟେ ସରକାରଙ୍କ ଅାଭିମୁଖ୍ୟ କଣ ସେନେଇ ନଗର ଉନ୍ନୟନ ସଚିବଙ୍କଠାରୁ ଅାରମ୍ଭ କରି ପୌର ପ୍ରଶାସକ ପର୍ଯ୍ୟନ୍ତ କେହି ବି ମୁହଁ ଖୋଲୁ ନାହାଁନ୍ତି।

ଏଣେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଛନ୍ତି, ସୁପ୍ରିମକୋର୍ଟରେ ଫଇସଲା ହେଲା ପରେ ହିଁ ନିର୍ବାଚନ ପାଇଁ ପଦକ୍ଷେପ ନିଅାଯାଇପାରିବ। ପ୍ରଶ୍ନ ଉଠୁଛି କାହିଁକି ସରକାର ପୌର ନିର୍ବାଚନକୁ ଟାଳିବା ପାଇଁ ଉଦ୍ୟମ କରୁଛନ୍ତି? ସୁପ୍ରିମକୋର୍ଟରେ ମାମଲା ଥିବା ବାହାନାରେ ସରକାର ନିର୍ବାଚନକୁ ଘୁଞ୍ଚାଇଦେବାକୁ ଚାହୁଁଛନ୍ତି କି?

କୁହାଯାଉଛି ପଂଚାୟତ ନିର୍ବାଚନରେ ଝଟକା ପରେ ରାଜ୍ୟ ସରକାର ରିସ୍କ ନେବାକୁ ଚାହୁଁନାହାନ୍ତି। କାରଣ ପୌର ନିର୍ବାଚନରେ ଫଳ ଯଦି ଓଲଟା ହୁଏ, ତାର ପ୍ରଭାବ ସାଧାରଣ ନିର୍ବାଚନ ଉପରେ ପଡ଼ିବାର ଅାଶଙ୍କା ରହିଛି। ପୌର ନିର୍ବାଚନ ପ୍ରକ୍ରିୟାରେ ବିଳମ୍ବକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ବିଜେଡି ଏହାର ଜବାବ ରଖିଛି।

ପୌର ନିର୍ବାଚନରେ ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ବର୍ଗ ପାଇଁ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ମାର୍ଚ୍ଚ ୧୮ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ରାଜ୍ୟର ୫୫ଟି ପୌର ସଂସ୍ଥାରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶର ୫ ମାସ ପରେ ବି ରାଜ୍ୟ ସରକାର ସମାଧାନର ବାଟ ବାହାର ନକରିବା ପଛରେ ଅନ୍ୟ ଉଦ୍ଦେଶ୍ୟ ଥିବା ଚର୍ଚ୍ଚା ହେଉଛି।

You might also like