ବିନା ଭକ୍ତରେ ଗୁଣ୍ଡିଚା ଘର ଯିବେ କାଳିଆ ଠାକୁର-ମୁକ୍ତିମଣ୍ଡପ

ପୁରୀ:ସତରେ କ’ଣ ରଥଯାତ୍ରା ହେବନି?  ଭକ୍ତଙ୍କୁ ଦର୍ଶନ ଦେବାକୁ ଜଗତର ନାଥ ଜଗନ୍ନାଥ କ’ଣ ବଡଦାଣ୍ଡକୁ ଆସିବେନି ? ବଡଦାଣ୍ଡରେ ଗଡିବନି ନନ୍ଦିଘୋଷ ? ଏମିତି ଅନେକ ପ୍ରଶ୍ନ ଆଜି ଭକ୍ତଙ୍କ ମନରେ।

କରୋନାକୁ ନେଇ ଲାଗି ରହିଛି କଟକଣା। ସାରା ଦେଶ ଲକ୍‌ଡାଉନ। ଯଦିଓ ମେ’ ୩ ତାରିଖ ଲକ୍‌ଡାଉନ ହଟିବ ତେବେ ରଥଯାତ୍ରା ବେଳକୁ ଯେ କରୋନାର ପ୍ରକୋପ ଲୋପ ପାଇଯାଇଥିବା ତାହା ନୁହେଁ। ତେଣୁ ସାମାଜିକ ଦୂରତା ଭିତରେ ରଥଯାତ୍ରା କେମିତି ହେବ?

ତେବେ  ରଥଯାତ୍ରା  ସୀମିତ ସେବାୟତ,ସ୍ୱଳ୍ପ ସଂଖ୍ୟକ ପୋଲିସ କର୍ମଚାରୀକୁ ନେଇ ଆୟୋଜନ କରାଯାଇପାରିବ ବୋଲି କହିଛନ୍ତି ମୁକ୍ତି ମଣ୍ଡପ। ରଥଯାତ୍ରାର ସିଧାସଳଖ ଚିତ୍ର ଦୂରଦର୍ଶନ ଜରିଆରେ ପ୍ରସାରଣ କରି ଭକ୍ତଙ୍କ ନିକଟରେ ପହଞ୍ଚା ଯାଇପାରିବ।  ଲୋକେ ଶ୍ରୀକ୍ଷେତ୍ରକୁ ନ ଆସି ଘରେ ରହି ମହାପ୍ରଭୂଙ୍କୁ ଦର୍ଶନ କରିପାରିବେ।

ଆପତକାଳୀନ ବ୍ୟବସ୍ଥାନୁଯାୟୀ ରଥଯାତ୍ରା ବନ୍ଦ ହେଲେ ଅସୁବିଧା ନାହିଁ। ସୀମିତ ସେବକ ଓ ସ୍ୱଳ୍ପ ପୁଲିସଙ୍କୁ ନେଇ ମଧ୍ୟ ରଥଯାତ୍ରା ହୋଇପାରିବ। କରୋନା ନେଇ ରଥଯାତ୍ରା ପ୍ରସଙ୍ଗରେ ପ୍ରେସ୍‌ ରିଲିଜ୍ ଜରିଆରେ ଏପରି  ପରାମର୍ଶ ଦେଇଛି ମୁକ୍ତି ମଣ୍ଡପ।

ମୁକ୍ତି ମଣ୍ଡପ ପକ୍ଷରୁ ଆହୁରି କୁହାଯାଇଛି ଯେ, ପୁରୀର ସବୁ ପ୍ରବେଶପଥକୁ ସିଲ୍ କଲେ କରୋନା ପରି ମହାମାରୀକୁ ଏଡ଼ାଇ ହେବ। ପୁଲିସ, ସେବକଙ୍କ ଛଡ଼ା ଅନ୍ୟ କାହାରିକୁ ପ୍ରବେଶ କରାଇ ଦିଆଯିବନି। ଯଦି ଅନିବାର୍ଯ୍ୟ କାରଣବଶତଃ ରଥଯାତ୍ରା ନ ହେଲା, ଅସୁବିଧା ନାହିଁ। ସାଂପ୍ରତିକ ଦୁଃସ୍ଥିତିରେ ତାହା ହାନିକାରକ ନୁହେଁ। ଭକ୍ତ, ସେବକ ସୁସ୍ଥ ରହିଲେ ମନ୍ଦିର, ଦେବତା କାନ୍ତିଯୁକ୍ତ ହେବେ। ତେବେ ଏ କ୍ଷେତ୍ରରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଆବଶ୍ୟକ ବୋଲି ମୁକ୍ତି ମଣ୍ଡପ ପକ୍ଷରୁ କୁହାଯାଇଛି।

ତେବେ  ମହାମାରୀ କରୋନା ମୁକାବିଲା ପାଇଁ ସରକାର ଜାରି କରିଥିବା କଟକଣା ଯୋଗୁଁ ରଥଯାତ୍ରା ଆୟୋଜନକୁ ନେଇ ଏବେ ବି କୌଣସି ନିଷ୍ପତ୍ତି ନିଆଯାଇନଥିବା ବେଳେ ଏଭଳି ସମୟରେ ମୁକ୍ତି ମଣ୍ଡପ ସଭା ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦିଆଯାଇଛି ।ମୁକ୍ତିମଣ୍ଡପ ସଭାର କାର୍ଯ୍ୟକାରୀ ସଭାପତି ପଣ୍ଡିତ ବିଶ୍ୱନାଥ ମିଶ୍ର, ସମ୍ପାଦକ ଅଜିତ ମିଶ୍ରଙ୍କ ପକ୍ଷରୁ ଏନେଇ ମତ ରଖାଯାଇଥିବା ବେଳେ ଶେଷ ନିଷ୍ପତ୍ତି ଜଗତଗୁରୁ ଶଙ୍କରାଚାଯର୍ୟଙ୍କ ଉପରେ ଛାଡ଼ି ଦେଇଛି ମୁକ୍ତିମଣ୍ଡପ ସଭା।

You might also like