ପଦ୍ମଶ୍ରୀ ସମ୍ମାନକୁ ଗୀତାଙ୍କ ଅଗ୍ରାହ୍ୟ ପରେ ଜୋର୍‌ ଧରିଛି ରାଜନୀତି

ଭୁବନେଶ୍ୱର: ପଦ୍ମଶ୍ରୀ ସମ୍ମାନକୁ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ଅଗ୍ରାହ୍ୟ କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜୀ। ଏହାକୁ ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଗୀତାଙ୍କ ନିଷ୍ପତ୍ତି ବ୍ୟକ୍ତିଗତ, କିନ୍ତୁ ଏହା ରାଷ୍ଟ୍ର ପ୍ରତି ଅସମ୍ମାନ। କୌଣସି ବି ବ୍ୟକ୍ତି ଏହାକୁ ପ୍ରତ୍ୟାଖାନ କରିବା ଅନୁଚିତ।

ଭାଇଙ୍କ କ୍ୟାରିଅର୍ ପ୍ରତି ଯଦି ଆଞ୍ଚ ଆସିବ ବୋଲି ଗୀତା ଭାବୁଛନ୍ତି ତେବେ ତାହା ଠିକ୍ ନୁହେଁ ବୋଲି କହିଛନ୍ତି ପୃଥ୍ୱୀରାଜ। ଅନ୍ୟପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ। ଗୀତା ମେହେଟ୍ଟାଙ୍କ ନିଷ୍ପତ୍ତି ବ୍ୟକ୍ତିଗତ, ଏହାକୁ ରାଜନୀତି ଭିତରକୁ ଟାଣିବା ଆଦୌ ଉଚିତ୍ ନୁହେଁ ବୋଲି ସେ କହିଛନ୍ତି। ଅନ୍ୟପଟେ ଗୀତା ପଦ୍ମଶ୍ରୀ ସମ୍ମାନ ଗ୍ରହଣ ନ କରିବା ସମ୍ପର୍କିତ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗତକାଲି ପଦ୍ମଶ୍ରୀ ସମ୍ମାନ ପାଇଁ ବିଶିଷ୍ଟ ଲେଖିବା ଗୀତା ମେହେଟ୍ଟାଙ୍କ ନାଁ ଘୋଷଣା ହୋଇଥିଲା। ହେଲେ ଏହାକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି ଗୀତା। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ସମୟରେ ପଦ୍ମ ସମ୍ମାନ ଗ୍ରହଣ କରିବା ଠିକ୍ ହେବନି। ଏହା ଜନସାଧାରଣଙ୍କ ନିକଟକୁ ଭୁଲ ବାର୍ତ୍ତା ଯିବ ଯାହା ଉଭୟ ସରକାର ଓ ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଏକ ପ୍ରେସ୍ ନୋଟରେ ଆଶଙ୍କା କରିଛନ୍ତି ଗୀତା। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କୁ ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ପଦ୍ମଶ୍ରୀ ପାଇବାକୁ ମନୋନୀତ କରିଥିଲେ ରାଷ୍ଟ୍ରପତି।

 

You might also like