MPLAD ପାଣ୍ଠି ଖର୍ଚ୍ଚ କରୁନାହାଁନ୍ତି ସାଂସଦ

ଭୁବନେଶ୍ୱର: ନିଜ ନିଜ ଅଞ୍ଚଳର ବିକାଶ ଲାଗି ଉଦ୍ଦିଷ୍ଟ MPLADକୁ ଖର୍ଚ୍ଚ କରୁନାହାନ୍ତି ସାଂସଦ। ସାରା ଦେଶରେ ଏବେ ୪ ହଜାର ୪୮୦କୋଟି ୧୪ ଲକ୍ଷ ଟଙ୍କା ବିନିଯୋଗ ନ ହୋଇ ପଡ଼ିରହିଛି। ସେହିପରି ଓଡ଼ିଶାର ସାଂସଦମାନେ ସେମାନଙ୍କ ପାଣ୍ଠିରୁ ୨୪୯ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିନାହାନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜ୍ୟର କେହି ଜଣେ ବି ସାଂସଦ ବାର୍ଷିକ ୫ କୋଟି ହିସାବରେ ୫ ବର୍ଷରେ ମିଳୁଥିବା ୨୫ କୋଟି ଟଙ୍କାକୁ ସଂପୂର୍ଣ୍ଣ ଖର୍ଚ୍ଚ କରିବାରେ ସଫଳ ହୋଇନାହାଁନ୍ତି।

ତେବେ ଫଣ୍ଡ ଖର୍ଚ୍ଚ ହୋଇନପାରିବା ନେଇ କେନ୍ଦ୍ରକୁ ଦୋଷ ଦେଇଛନ୍ତି ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଅନ୍ୟପକ୍ଷରେ ବିନିଯୋଗ ପ୍ରମାଣପତ୍ର ହାସଲରେ ବିଳମ୍ବ ହେତୁ ଟଙ୍କା ଆଣି ଖର୍ଚ୍ଚ କରିବାରେ ଡେରି ହେଉଥିବା ମତ ଦେଇଛନ୍ତି ବିଜେଡିର ବରଗଡ଼ ସାଂସଦ ପ୍ରଭାସ ସିଂହ।

କିନ୍ତୁ ସାଂସଦଙ୍କ ଯୁକ୍ତିକୁ ମାନିବାକୁ ନାରାଜ୍ ବିଶେଷଜ୍ଞ।

ଏକ ମହତ୍ତ୍ୱ ଉଦ୍ଦେଶ୍ୟ ରଖି MPLAD ଗଠନ କରାଯାଇଥିଲା। ଛୋଟ ଛୋଟ ଉନ୍ନୟନ କାମ ବାବଦକୁ ଦରକାର ହେଉଥିବା ଅର୍ଥ ଯୋଗାଇବା ଲାଗି ସାଂସଦ ପାଣ୍ଠିର ପରିକଳ୍ପନା କରାଯାଇଥିବା କହିଛନ୍ତି ପୂର୍ବତନ ସୂଚନା କମିଶନର ଜଗଦାନନ୍ଦ। ତେବେ ପିସି କାରବାର ହେତୁ ଏହି ଅର୍ଥ ଖର୍ଚ୍ଚ ହେଉନଥିବା ସେ ଅଭିଯୋଗ କରିଛନ୍ତି।

ଆଶ୍ଚର୍ଯ୍ୟର କଥା ହେଉଛି ପୂରା ଦେଶରେ ସାଂସଦଙ୍କ ମଧ୍ୟରୁ ମାତ୍ର ୩୫ ଜଣ ଡିସେମ୍ବର ମାସ୧୦ ତାରିଖ ସୁଦ୍ଧା MPLAD ପାଣ୍ଠିର ସମସ୍ତ ଅର୍ଥ ଖର୍ଚ୍ଚ କରିଛନ୍ତି। ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗର ସର୍ବାଧିକ ୧୦ ଓ ଉତ୍ତରପ୍ରଦେଶରୁ ୬ ଜଣ ସାଂସଦ ଅଛନ୍ତି।

ବିହାର ଓ ରାଜସ୍ଥାନର ଜଣେ ଲେଖାଏ ସାଂସଦ ସମସ୍ତ ପାଣ୍ଠି ବିନିଯୋଗ କରିଥିବା ବେଳେ ଏହି ତାଲିକାରେ ଓଡ଼ିଶାର କେହି ବି ନାହାନ୍ତି।

You might also like