ମୁଖ୍ୟମନ୍ତ୍ରୀଙ୍କୁ ୮ଟି ପ୍ରଶ୍ନ ପଚାରିଲେ ଅପରାଜିତା

ଭୁବନେଶ୍ୱର: ସାଂସଦ ଅପରାଜିତାଙ୍କ ଅଫିସ ସିଲ୍ ହେବା ପରେ ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ସେ ଜନ ଶୁଣାଣି କରିଛନ୍ତି। ସେ କହିଛନ୍ତି, ଅଫିସ ସିଲ୍ ଯୋଗୁଁ ଆସନ୍ତା ୧୫ ଦିନ ବୁଲି ବୁଲି କାର୍ଯ୍ୟ କରାଯିବ। ମୋ ଭିତରେ କ୍ରୋଧ ନାହିଁ, କାହା ପ୍ରତି ନକାରାତ୍ମକ ଭାବନା ନାହିଁ। ବିକାଶ ପ୍ରକ୍ରିୟା ଜାରି ରହିଛି, ଆଗକୁ ତ୍ୱରାନ୍ୱିତ କରାଯିବ।

ସେ ଆହୁରି କହିଛନ୍ତି ଯେ, କାର୍ଯ୍ୟାଳୟ ବନ୍ଦ ଥିବାରୁ ଏଣିକି ୩ଟି ସ୍ଥାନରେ କାର୍ଯ୍ୟକ୍ରମ କରାଯିବ। ରାଜରାସ୍ତା, ମୋ କାର୍ଯ୍ୟାଳୟ ବାହାର ଓ ମୋ ଘର ବାହାରେ କାର୍ଯ୍ୟକ୍ରମ ହେବ। ରାଜରାସ୍ତାରେ କାର୍ଯ୍ୟାଳୟ କରିବାକୁ ପଡ଼ୁଥିବାରୁ ସେ ମର୍ମାହତ ଓ ଦୁଃଖିତ ବୋଲି କହିଛନ୍ତି।

ମୋ ସଭା ସମିତିରେ କିପରି ସାମାଜିକ ଦୂରତ୍ୱ ରହିବ ତାହା ପ୍ରଶାସନର କାମ। ମୁଖ୍ୟମନ୍ତ୍ରୀଙ୍କୁ ୮ଟି ପ୍ରଶ୍ନ କରି ଚିଠି ଲେଖିଛି, ୧୫ ଦିନରେ ତଦନ୍ତ ପାଇଁ ଲେଖିଛି। ସରକାର ଆକ୍ସନ ଟେକନ୍ ରିପୋର୍ଟ ରାଜ୍ୟବାସୀଙ୍କ ପାଖରେ ରଖନ୍ତୁ ବୋଲି ଅପରାଜିତା ଦାବି କରିଛନ୍ତି।

ସୂଚନାଥାଉ କି, କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟକୁ BMC ସିଲ୍ କରିଥିଲା। BMCର ଏକ ଟିମ୍‌ ପଳାସପଲ୍ଲୀରେ ଥିବା ସାଂସଦ ଅପରାଜିତାଙ୍କ ଅଫିସ୍‌ରେ ପହଞ୍ଚି ୧୫ ଦିନ ପାଇଁ ଅଫିସ୍‌କୁ ସିଲ୍‌ କରିଥିଲା।

ଗତ ୮ ତାରିଖ ଦିନ ନିଜ ଜନ୍ମଦିନ ପାଳନ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଯେଉଁଥିରେ ସାଂସଦ ନିଜେ କିମ୍ବା ଅନ୍ୟ ମହିଳାମାନେ ମାସ୍କ ପିନ୍ଧି ନ ଥିଲେ ଏବଂ ସାମାଜିକ ଦୂରତା ମାନି ନ ଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏନେଇ କେନ୍ଦ୍ରକୁ ଫେରାଦ ହୋଇଥିଲା ରାଜ୍ୟ।

ପ୍ରଧାନମନ୍ତ୍ରୀ କୋଭିଡ଼ ନିୟମ କରିଛନ୍ତି, ଆମେ ସମସ୍ତେ ପାଳନ କରିବା। ଆଇନ୍  ସମସ୍ତଙ୍କ ପାଇଁ ସମାନ, ହଇରାଣ କରନ୍ତୁନି। ଆକ୍ରୋଶମୂଳକ ମନୋଭାବ ରଖାନଯାଉ ବୋଲି କହିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।

You might also like