କୋଭିଡ ନିୟମ ଉଲ୍ଲଘଂନ ସମ୍ପର୍କିତ ଦସ୍ତାବିଜ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଲେ ଅପରାଜିତା

ଭୁବନେଶ୍ୱର:କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ରାଜ୍ୟ ରାଜନୀତି ସରଗରମ ହୋଇ ପଡ଼ିଛି। BMCର ଏକ ଟିମ୍‌ ପଳାସପଲ୍ଲୀରେ ଥିବା ସାଂସଦ ଅପରାଜିତାଙ୍କ ଅଫିସ୍‌ରେ ପହଞ୍ଚି ୧୫ ଦିନ ପାଇଁ ଅଫିସ୍‌କୁ ସିଲ୍‌ କରି ଦେଇଛି।

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିବା ସହ କରୋନା କଟକଣା ଉଲ୍ଲଂଘନ ସଂପର୍କିତ ଦସ୍ତାବିଜ ପଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ପଠାଇଥିବା ଦସ୍ତାବିଜରେ ରହିଛି ୧୭ଟି ଫଟୋ ଓ ଏକ ଭିଡିଓ। କୋଭିଡ୍ କଟକଣା ଉଲ୍ଲଂଘନର ପ୍ରମାଣ ସ୍ୱରୂପ ଏହି ଦସ୍ତାବିଜ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଦଳୀୟ ମନ୍ତ୍ରୀ, ନେତା କୋଭିଡ୍ ଆଇନ ଉଲ୍ଲଂଘନ କରିଥିବା ବେଳେ ତାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। କୋଭିଡ୍ ନିୟମ ଉଲ୍ଲଂଘନ ଘଟଣାରେ ପ୍ରଶାସନ ପକ୍ଷପାତିତା କରିଥିବା ନେଇ ସେ ଚିଠିରେ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି,  ତାଙ୍କ କାର୍ଯ୍ୟାଳୟ ବିଏମ୍‌ସି ସିଲ୍ କରିଥିବାରୁ ସେ ରାସ୍ତା ଉପରେ ଜନ ଶୁଣାଣି କରୁଛନ୍ତି।  ନିୟମ ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିବା ସହ ନିୟମ ଭାଙ୍ଗିଥିବା ବିଜେଡି ନେତାଙ୍କ ପ୍ରତି କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି । ଏସବୁ ଉପରେ ୧୫ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବାକୁ ସେ ଦାବି କରିଛନ୍ତି।

ତେବେ କଟକଣା ଭାଙ୍ଗିଥିବା ବିଜେଡି ମୁଖ୍ୟାଳୟ କେବେ ସିଲ୍ ହେଉଛି, ଦେଖିବାକୁ ଅପେକ୍ଷା ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ସୂଚନାଥାଉ କି,  ଗତ ୮ ତାରିଖ ଦିନ ନିଜ ଜନ୍ମଦିନ ପାଳନ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଯେଉଁଥିରେ ସାଂସଦ ନିଜେ କିମ୍ବା ଅନ୍ୟ ମହିଳାମାନେ ମାସ୍କ ପିନ୍ଧି ନ ଥିଲେ ଏବଂ ସାମାଜିକ ଦୂରତା ମାନି ନ ଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏନେଇ କେନ୍ଦ୍ରକୁ ଫେରାଦ ହୋଇଥିଲା ରାଜ୍ୟ।

ଅନ୍ୟପକ୍ଷେ ଆକ୍ରୋଶମୂଳକ ମନୋଭାବ ରଖାନଯାଉ ବୋଲି କହିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।

You might also like