ଦୁଃଖ ପ୍ରକାଶ ଆଳରେ ଅନୁଭବଙ୍କ ଧମକ

ଭୁବନେଶ୍ୱର : ଦୁଃଖ ପ୍ରକାଶ ଆଳରେ ଅନୁଭବଙ୍କ ଧମକ। OTV ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ଦୁଃଖ ପ୍ରକାଶ ଆଳରେ ଧମକ ଦେଇଛନ୍ତି ସାଂସଦ ଅନୁଭବ ମହାନ୍ତି।

ଏକ ଭିଡିଓ ରିଲିଜ୍ ଜରିଆରେ ଧମକ ଦେଇ ଅନୁଭବ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ଦୁଃଖ ପ୍ରକାଶ କରିଛନ୍ତି।  ୧ ମିନିଟ ୨୪ ସେକେଣ୍ଡ ଅବଧିର ଏହି ଭିଡିଓରେ ୩ଟି କଟ୍ ଥିବା ବେଳେ ସେ କହିଛନ୍ତି, OTV ସାମ୍ବାଦିକଙ୍କ ପ୍ରତି ଘଟଣା ମୋତେ ବ୍ୟଥିତ କରିଛି। ଏହା ଉଦ୍ଦେଶ୍ୟମୂଳକ ନଥିଲା।  ଏଥିପାଇଁ ମୁଁ ଦୁଃଖିତ ବୋଲି ଭିଡିଓରେ କହିଛନ୍ତି ଅନୁଭବ।

ତେବେ ଦ୍ୱିତୀୟ ଓ ତୃତୀୟ କଟ୍‌ରେ ମୁହଁର ଠାଣି ବଦଳାଇ ପୂରା ଧମକ ଦେବା ମୁଦ୍ରାରେ ଅନୁଭବ କହିଛନ୍ତି, ବୈଜୟନ୍ତ ପଣ୍ଡା ମୋ ଠାରୁ ଲୋକସଭା ନିର୍ବାଚନରେ ହାରିବା ପରେ ତାଙ୍କ ମାଲିକାନାରେ ଥିବା OTV ମୋ ଚରିତ୍ର ସଂହାର କରିଆସୁଛି। ବୈଜୟନ୍ତ ବାବୁ ଏମିତି ନକରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି। ବୈଜୟନ୍ତ ବାବୁ ମୋତେ ଏମିତି ଅଯଥା ହଇରାଣ କରନ୍ତୁ ନାହିଁ । ତେବେ ଦୁର୍ବ୍ୟବହାର କରିଥିବା ଓଟିଭି ପ୍ରତିନିଧି ମନୋଜ ସ୍ୱାଇଁଙ୍କ ନାଁ ନେବାକୁ  ସାହସ ଜୁଟାଇ ପାରିନାହାନ୍ତି ଅନୁଭବ।

 

ତେବେ ସାଂସଦ ଅନୁଭବଙ୍କ ଏଭଳି ଦୁଃଖ ପ୍ରକାଶ ଆଳରେ ଧମକକୁ ଓଟିଭି ନିନ୍ଦା କରିଛି। କହିଛି ,ସାଂସଦ ଅନୁଭବ ଏକଥା ଜାଣି ରଖିବା ଉଚିତ୍, ଯେ ଓଟିଭି କାହା ଏଜେଣ୍ଡାରେ ନୁହେଁ, ଏକ ବୃତ୍ତିଗତ ଚାର୍ଟର୍ ଅନୁଯାୟୀ ସଂପୂର୍ଣ୍ଣ ସଂପାଦକୀୟ ସ୍ୱାଧୀନତାରେ କାର୍ଯ୍ୟ କରିଥାଏ। ନିଜ ଭୁଲ୍‌କୁ ନମାନି, ନିଜ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ରାଗ ସୁଝାଇବାକୁ ଯାଇ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ତାଚ୍ଛଲ୍ୟ କରିବା ଏବଂ ରାଜ୍ୟବ୍ୟାପୀ ସାମ୍ବାଦିକଙ୍କ ପ୍ରତିବାଦ ସତ୍ତ୍ୱେ ଅନୁଭବ ପାଲଟା ଓଟିଭିକୁ ଟାର୍ଗେଟ୍ କରିବାକୁ ଆମେ ଦୃଢ଼ ନିନ୍ଦା କରୁଛୁ।

You might also like