ମହିଳା କମିଶନରେ ପହଞ୍ଚିଲା ବର୍ଷା-ଅନୁଭବ କଳି: ପ୍ରାୟ ୩ ଘଣ୍ଟା ଧରି ପଚରାଉଚରା
ଭୁବନେଶ୍ୱର: ଦାଣ୍ଡରେ ପଡ଼ି ହାଟରେ ଗଡୁଥିବା ଷ୍ଟାର ଦମ୍ପତି ବର୍ଷା-ଅନୁଭବ କଳି ଶେଷରେ ମହିଳା କମିଶନଙ୍କ ପାଖରେ ପହଞ୍ଚିଛି। ପାରିବାରିକ ବିବାଦମାମଲାକୁ ନେଇ ନୋଟିସ୍ ପରେ ଆଜି ଅନୁଭବ ଆଉ ବର୍ଷା ରାଜ୍ୟ ମହିଳା କମିଶନ୍ଙ୍କ ନିକଟରେ ହାଜର ହୋଇଛନ୍ତି। ଏହାପରେ ବର୍ଷା-ଅନୁଭବଙ୍କୁ ସାମ୍ନାସାମ୍ନି ବସାଇ ପ୍ରାୟ ୩ ଘଣ୍ଟା ଧରି ପଚରାଉଚରା କରିଥିଲେ କମିଶନ ଅଧ୍ୟକ୍ଷା। ତଥାପି ସେଭଳି କୌଣସି ନିଷ୍କର୍ସ ବାହାରି ପାରିନଥିବା କୁହାଯାଉଥିବା ବେଳେ ଏହି ଆଲୋଚନା ନୂଆ ଆଲୋକ ଦେଖାଇବ ବୋଲି କମିଶନ ଅଧ୍ୟକ୍ଷା ମୀନତି ବେହେରା କହିଛନ୍ତି।
ସୂଚନା ଅନୁସାରେ, ଷ୍ଟାର୍ ଦମ୍ପତିଙ୍କୁ ନୋଟିସ୍ ପରେ ଆଜି ଉଭୟେ କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କ ଚାମ୍ବରରେ ହାଜର ହୋଇଥିଲେ। କମିଶନଙ୍କ ନିକଟରେ ସକାଳେ ବର୍ଷା ପ୍ରିୟଦର୍ଶିନୀ ହାଜର ହୋଇଥିବା ବେଳେ ଅପରାହ୍ନରେ ହାଜର ହୋଇଥିଲେ ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ଏହାପରେ ଉଭୟଙ୍କୁ ସାମ୍ନାସାମ୍ନି ବସାଇ ଦୀର୍ଘ ତିନି ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲେ କମିଶନ୍ ଅଧ୍ୟକ୍ଷା।
କାହିଁକି ଉପୁଜିଲା ବିବାଦ?
ଦାମ୍ପତ୍ୟ ଜୀବନ ଜୀଇଁବା ଭିତରେ କେଉଁଠି ବିଗିଡ଼ିଗଲା ହିସାବ କିତାବ?
ଘରୋଇ ହିଂସା ପଛର କାରଣ କଣ ?
ଏମିତି ଏକାଧିକ ପ୍ରଶ୍ନ ଉଠାଇ କମିଶନ ଅଧ୍ୟକ୍ଷା ପଚରାଉଚରା କରିଥିବା ଜଣାପଡ଼ିଛି। ତେବେ ଏହି ଆଲୋଚନା ନୂଆ ଆଲୋକ ଦେଖାଇବ ବୋଲି ମହିଳା କମିଶନ ଅଧ୍ୟକ୍ଷା ଆଶା କରିଛନ୍ତି।
ପତ୍ନୀ ବର୍ଷାଙ୍କ ସହ ପାରିବାରିକ ବିବାଦ ମାମଲାରେ ଗତ ୨୧ ତାରିଖରେ ଅନୁଭବଙ୍କୁ ନୋଟିସ୍ କରିଥିଲେ ରାଜ୍ୟ ମହିଳା କମିଶନ। କେବଳ ଅନୁଭବ ନୁହନ୍ତି, ଅନୁଭବଙ୍କ ବାପା-ମାଙ୍କୁ ବି ନୋଟିସ୍ କରି ଆଜି ହାଜର ହେବାକୁ କମିଶନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।
ଆହୁରି ମଧ୍ୟ ପଢନ୍ତୁ :
ତେବେ କମିଶନଙ୍କ ନିକଟରେ ଆଜି ଅନୁଭବ ହାଜର ହୋଇଥିଲେ ମଧ୍ୟ ତାଙ୍କ ବାପା, ମା କିନ୍ତୁ ଆସିନଥିଲେ। ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି ପୂର୍ବରୁ କଟକ ଏସ୍ଡିଜେଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା। ବୈବାହିକ ଜୀବନକୁ ଚିରସ୍ଥାୟୀ କରିବା ଲାଗି କଟକ ଫ୍ୟାମିଲି କୋର୍ଟକୁ ବି ଯାଇଛନ୍ତି।
ଅନ୍ୟପଟେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଅନୁଭବ ଦାଖଲ କରିଥିବା ଛାଡ଼ପତ୍ର ମାମଲାକୁ ଓଡ଼ିଶା ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟରେ ନିବେଦନ ବି କରିଛନ୍ତି ବର୍ଷା। ଏସବୁ ଭିତରେ ଆଜି ମହିଳା କମିଶନଙ୍କ ନିକଟରେ ଏହି ଷ୍ଟାର ଦମ୍ପତି ହାଜର ହୋଇ ନିଜ ନିଜ ପକ୍ଷ ରଖିଛନ୍ତି।
ପାରିବାରିକ କଳିକୁ ନେଇ ଦୀର୍ଘ ଦିନ ଧରି ବିବାଦରେ ଥିବା ଏଇ ସେଲିବ୍ରିଟି ଦମ୍ପତି ବିଭିନ୍ନ ସମୟରେ ଗଣମାଧ୍ୟମରେ ନିଜ ଦାମ୍ପତ୍ୟ ଜୀବନର ତିକ୍ତତାକୁ ପରିପ୍ରକାଶ କରିଛନ୍ତି। ଏସବୁ ଭିତରେ ଚର୍ଚ୍ଚାରେ ଥିବା ଦିଲ୍ଲୀ ସାମ୍ବାଦିକା ଜାଗ୍ରତି ଶୁକ୍ଲା ଫେସବୁକ୍ରେ ଅନୁଭବଙ୍କୁ ବନ୍ଧୁ ବୋଲି ପରିଚୟ ଦେଇ ପରୋକ୍ଷରେ ବର୍ଷାଙ୍କୁ ଟାଣିଥିଲେ।
ଅନୁଭବ ବି ନିଜ ଫେସବୁକ୍ ପେଜ୍ରେ ଜାଗ୍ରୁତିଙ୍କ ସହ ଏକ ଫଟୋ ଶେୟାର କରିଥିଲେ। ବର୍ଷା-ଅନୁଭବଙ୍କ ତିକ୍ତ ସଂପର୍କକୁ ନେଇ ଥାନାରେ ଛଅ ଛଅଟି ମାମଲା ରୁଜୁ ହୋଇସାରିଥିବାବେଳେ ଏବେ ରାଜ୍ୟ ମହିଳା କମିଶନଙ୍କ ନିର୍ଦ୍ଦେଶକୁ ଅପେକ୍ଷା।
ନିକଟରେ ବର୍ଷା କାମରେ ବାହାରକୁ ଯାଇ ଫେରିବା ବେଳେ ତାଙ୍କ ସ୍ୱାମୀ ଅନୁଭବ ତାଙ୍କୁ ଘରକୁ ଆସିବାକୁ ଦେଇ ନଥିଲେ ବୋଲି ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ବର୍ଷା ଏଇ ଅଭିଯୋଗ ଆଧାରରେ ପୁରୀଘାଟ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ସେପଟେ ପତ୍ନୀ ବର୍ଷାଙ୍କ ନାଁରେ ବି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅନୁଭବ। ଦୁଇ ମାସ ତଳୁ ସୋସିଆଲ୍ ମିଡିଆରେ ଭାଇରାଲ ଏକ ଅଡିଓ କ୍ଲିପର ସତ୍ୟାସତ୍ୟ ଯାଞ୍ଚ ଲାଗି ପୋଲିସ ଡିଜିଙ୍କୁ ନିଜ ଲେଟର ପ୍ୟାଡ଼ରେ ଚିଠି ଲେଖି ଅନୁରୋଧ କରିଛନ୍ତି ସାଂସଦ। ଏହାରି ଭିତରେ ସାମନାକୁ ଆସିଥିଲା ଆଉ ଏକ ଟ୍ୱିଷ୍ଟ, ଯେତେବେଳେ ସାମ୍ବାଦିକା ଜାଗୃତି ଶୁକ୍ଳା ଫେସବୁକରେ ସାଂସଦ ଅନୁଭବ ମହାନ୍ତିଙ୍କୁ ବନ୍ଧୁ ବୋଲି ପରିଚୟ ଦେଇଥିଲେ।
ଏଥିସହ ଜାଗୃତି ଲେଖିଥିଲେ ଯେ, ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବିବାଦ ସେମାନଙ୍କ ବ୍ୟକ୍ତିଗତ କିନ୍ତୁ କିଛି ଦିନ ହେବ ତାଙ୍କୁ ବିବାଦ ଭିତରକୁ ଟଣାଯାଉଛି। ସୋସିଆଲ୍ ମିଡିଆରେ ତାଙ୍କୁ ଟ୍ରୋଲ୍ କରାଯାଉଛି। ତାଙ୍କ ପ୍ରତି ଅଶାଳୀନ ଓ ଅପମାନଜନକ ମନ୍ତବ୍ୟ ଦିଆଯାଉଛି। ଏଥିରେ ଯେଉଁମାନେ ସଂପୃକ୍ତ ସେମାନେ ପ୍ରାୟତଃ ବର୍ଷାଙ୍କ ପ୍ରଶଂସକ ବୋଲି ଜାଗ୍ରୁତି ଫେସବୁକରେ ଲେଖିଛନ୍ତି।