ନଦୀ ମୁହାଣରେ ଯାଉଥିଲା, ରାସ୍ତା ଜାଣିନପାରି ସମୁଦ୍ର ଭିତରେ ପଶିଗଲା ଲଞ୍ଚ୍

ପଟ୍ଟାମୁଣ୍ଡାଇ: ଘନ କୁହୁଡ଼ି ଯୋଗୁ ବାଟବଣା ହେଲା ଯାତ୍ରୀବାହୀ ଲଞ୍ଚ୍। କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆରୁ ଚାନ୍ଦବାଲି ଅଭିମୁଖେ ଯାତ୍ରା କରୁଥିବା ଏହି ଲଞ୍ଚ୍‌ଟି ବାଟବଣା ହୋଇ ସମୁଦ୍ର ଆଡ଼କୁ ଚାଲି ଯାଇଥିଲା।

ସୂଚନା ଅନୁସାରେ, ଆଜି ସକାଳୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଏହି ଲଞ୍ଚ୍‌ଟି ତାଳଚୁଆରୁ ବ୍ରାହ୍ମଣୀ-ବୈତରଣୀ ମୁହାଣ ଦେଇ ଚାନ୍ଦବାଲି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ହେଲେ ଘନ କୁହୁଡ଼ି ଯୋଗୁ ଲଞ୍ଚ୍‌ଟି ବାଟବଣା ହୋଇ ଚାନ୍ଦବାଲି ଯାଇ ନ ପାରି ସମୁଦ୍ର ଭିତରକୁ ଚାଲି ଯାଇଥିଲା।

ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ସମୁଦ୍ର ଭିତରେ ଫସି ରହିଥିଲା। ପରେ କୁହୁଡ଼ି କମିବା ପରେ ଲଞ୍ଚ୍‌ଟି ପୁଣି ଚାନ୍ଦବାଲି ଅଭିମୁଖେ ଯାତ୍ରା କରିଥିଲା।

ଉକ୍ତ ଲଞ୍ଚ୍‌ରେ ଛୋଟ ଛୁଆଙ୍କ ସମେତ ବୟସ୍କ ବ୍ୟକ୍ତି ଓ ମହିଳାମାନେ ମଧ୍ୟ ଫସି ରହିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ କୁହୁଡ଼ି ମାତ୍ରା କମିବା ପରେ ଲଞ୍ଚ୍‌ଟି ଚାନ୍ଦବାଲି ଅଭିମୁଖେ ବାହାରିଥିଲା।

ସୂଚନାଥାଉ କି, ଗତକାଲି ଘନ କୁହୁଡ଼ି ଯୋଗୁ ଚିଲିକାରେ ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଫସି ରହିଲା ଏକ ଯାତ୍ରୀବାହୀ ଡଙ୍ଗା। ଡଙ୍ଗାଟି ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବାବେଳେ ଘନ କୁହୁଡ଼ି ଯୋଗୁ ନାଉରିଆ ବାଟ ଜାଣି ନ ପାରିବାରୁ ଡଙ୍ଗାଟି ଚିଲିକା ମଝିରେ ଫସି ଯାଇଥିଲା।

You might also like