ପର କରିଦେଲା ପୁଅ, ବିଷ ଖୋଜୁଛି ମା’

ବାଲେଶ୍ୱର: ଯେଉଁ ମା’ ତାର ପଣତକାନିରେ ପିଲାକୁ ମଣିଷ କରିଥିଲା, ଆଜି ସେଇ ପୁଅ ପର କରିଦେବାକୁ ପଛାଇଲାନି। ଜୀବନ ଉପରୁ ମୋହ ତୁଟି ଯିବା ପରେ ଏବେ ବିଷ ଖୋଜୁଛି ମା’। ଦୁର୍ବିସହ ଜୀବନରେ ଅତିଷ୍ଠ ହୋଇ ଜଣେ ମା’ର କ୍ଷୋଭ। ବିଷ ଦେଇ ମତେ ମାରି ଦିଅ, ମୁଁ ଆଉ ବଞ୍ଚିବାକୁ ଚାହୁନି। କୋହଭରା କଣ୍ଠରେ କହୁଛନ୍ତି, ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୮୫ ବର୍ଷର ବୃଦ୍ଧା ରଜନୀ ପାତ୍ର।

ସୋର ବ୍ଲକ କେଦାରପୁର ପଞ୍ଚାୟତ ସାଣ୍ଟପଡ଼ା ଗାଁର ବାସୁଦେବ ପାତ୍ରଙ୍କ ପତ୍ନୀ ରଜନୀ। ବୟସ ୮୫ ବର୍ଷ ହେବ। ସ୍ୱାମୀଙ୍କ ମୃତ୍ୟୁ ପରେ ପୁଅ ଅଶ୍ୱିନୀ କୁମର ପାତ୍ର, ସୁଧାକର ପାତ୍ର ଓ ସୁରେଶ ପାତ୍ରଙ୍କ ପାଖରେ ରହୁଥିଲେ। ଯେଉଁ ପିଲାଙ୍କ ପାଇଁ ମାଆ ପୂରା ଜୀବନ ଉତ୍ସର୍ଗ କରିଦେଇଥିଲେ, ସେମାନେ ଆଜି ତାଙ୍କୁ ମାଡ଼ ମାରୁଛନ୍ତି। ନାନା କଥା କହି ନିର୍ଯାତନା ଦେଉଛନ୍ତି। ଦୁଇ ଓଳି ଖାଇବାକୁ ଦେଉ ନାହାନ୍ତି।

ଗତ ୪ ଦିନ ତଳେ ରଜନୀଙ୍କୁ ତାଙ୍କ ପୁଅ ସୁରେଶ ଖାଇବାକୁ ଦେଇନଥିଲେ। ଖାଇବାକୁ ମାଗିବାରୁ ମାଡ଼ ମାରିଥିବା ରଜନୀ ଅଭିଯୋଗ କରିଛନ୍ତି। ପୁଅଠାରୁ ମାଡ଼ ଖାଇବା ପରେ ସହିବାର ଧୈର୍ଯ୍ୟ ହରାଇ ବସିଲେ ରଜନୀ। ଶେଷରେ ଆତ୍ମହତ୍ୟା କରିବା ପାଇଁ ବିଷ ପିଇ ଦେଇଥିଲେ। ପଡ଼ୋଶୀଙ୍କଠାରୁ ଖବର ପାଇ ସ୍ଥାନୀୟ ସରପଞ୍ଚ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ମାଆ ମେଡିକାଲ୍‌ ବେଡ୍‌ରେ ଜୀବନ ସହିତ ସଂଘର୍ଷ କରୁଛି। ହେଲେ ୧୦ ମାସ ୧୦ ଦିନ ଗର୍ଭରେ ଧରି ଜନ୍ମ ଦେଇଥିବା ମାଆକୁ ଦେଖିବା ପାଇଁ ପୁଅମାନେ ମେଡିକାଲ୍‌କୁ ଆସିଲେ ନାହିଁ। ଅସହାୟ ହୋଇପଡ଼ିଥିବା ବୃଦ୍ଧା ମାଆଙ୍କୁ ମେଡିକାଲ୍‌ର ନର୍ସମାନେ ସେବା କରୁଛନ୍ତି।

ଚିକିତ୍ସା ପରେ ଏବେ ସାମାନ୍ୟ ଆରୋଗ୍ୟ ହୋଇଛନ୍ତି ରଜନୀ। ହେଲେ ତାଙ୍କର ମାନସିକ ସ୍ଥିତି ଭଲ ନାହିଁ। ସେ ବାଉଳି ଚାଉଳି ହେଉଛନ୍ତି। ଆଉ କହୁଛନ୍ତି, ଶାନ୍ତି ପାଇଲିନି। ପୁଅମାନଙ୍କ ନିର୍ଯାତନା ସହି ହେଉନି। ମୁଁ ମରିବାକୁ ଚାହୁଁଛି। ମୋତେ ବିଷ ଦିଅ, ନହେଲେ ବିଷ ଇଞ୍ଜେକ୍‌ସନ୍‌ ଦେଇ ମାରିଦିଅ ବୋଲି ଲୋହ ଭରା ଆଖିରେ କହୁଛନ୍ତି ରଜନୀ।

You might also like