ଦିନେ ହାଣ୍ଡିଶାଳରେ ଚଟୁ ଧରୁଥିଲେ, ଏବେ ସୀମାରେ ଧରିବେ ଅଟୋମେଟିକ୍ ରାଇଫଲ
ହାଣ୍ଡିଶାଳରୁ ଦେଶର ସୀମା
- ହାଣ୍ଡିଶାଳରୁ ଦେଶର ସୀମା
- ରୋଷେଇ ଚଟୁରୁ ହାତରେ ଅଟୋମେଟିକ୍ ରାଇଫଲ
- ସୀମା ସମ୍ଭାଳିବେ BSF ଯବାନ ରୀନା ନାୟକ
- ବିବାହର ୮ ବର୍ଷ ପରେ ମିଳିଲା ସଫଳତା
ବ୍ରହ୍ମପୁର(ଜଗନ୍ନାଥ ସାହୁ): ହାଣ୍ଡିଶାଳରୁ ଦେଶର ସୀମା। ରୋଷେଇ ଚଟୁରୁ ହାତରେ ଧରିବେ ଅଟୋମେଟିକ୍ ରାଇଫଲ ।ବିଏସ୍ଏଫରେ ଯୋଗ ଦେବାକୁ କୃତକାର୍ଯ୍ୟ ହୋଇଛନ୍ତି ଜଣେ ଓଡ଼ିଆ ବୋହୂ। ବିବାହର ୮ ବର୍ଷ ପରେ ଏଭଳି ବିରଳ ସଫଳତା ହାସଲ କରିଛନ୍ତି ଗଂଜାମ ରଂଗେଇଲୁଣ୍ଡା ବ୍ଲକ ବୟାଳୀ ଗାଁର ରୀନା ନାୟକ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଙ୍କର ୭ ବର୍ଷ ବୟସର ଝିଅଟିଏ ବି ଅଛି। ତେବେ ଶାରିରୀକ ଦକ୍ଷତା ଏବଂ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସୀମା ସୁରକ୍ଷା ବଳରେ ସାମିଲ ହେବା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି ରୀନା।
ଦିନେ ଘର ସମ୍ଭାଳୁଥିଲେ ରୀନା। ପରିବାର ମଧ୍ୟରେ ସ୍ୱାମୀ, ପିଲା ଓ ଶାଶୁ ଶ୍ୱଶୁରଙ୍କ କଥା ବୁଝୁଥିଲେ। ହେଲେ ଏବେ ସମ୍ଭାଳିବେ ଦେଶର ସୀମା। ଓଡ଼ିଆ ଘରର ବୋହୁ ହିସାବରେ ଜଣେ ଯେଉଁ କଥା ଭାବି ବି ନଥିବେ, ସେଭଳି କିଛି କରି ଦେଖାଇଛନ୍ତି ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ବ୍ଳକ ବୟାଳୀ ଗାଁର ବୋହୁ ରୀନା ନାୟକ। ବିବାହର ୮ବର୍ଷ ପରେ ବିଏସ୍ଏଫରେ ଯୋଗ ଦେବାକୁ ମନୋନୀତ ହୋଇଛନ୍ତି ରୀନା। କିଛି କରିବାର ଇଚ୍ଛା ମଣିଷକୁ କିଭଳି ସଫଳତା ଆଡକୁ ବାଟ କଢେଇ ନିଏ ତାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ରୀନା ନାୟକ।
ଭୋର ୪ଟାରେ ଆରମ୍ଭ ହୁଏ ରୀନାଙ୍କ ଦିନ। ଘର କାମ ସାରି ସକାଳ ୬ଟାରେ ପହଞ୍ଚିଯାଆନ୍ତି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମରେ। ଦିନ ୯ଟା ଯାଏଁ ସେନାରେ ଭର୍ତ୍ତି ହେବା ଲାଗି ଉଦ୍ଦିଷ୍ଟ ବିଭିନ୍ନ ଶାରିରୀକ କସରତ ଅଭ୍ୟାସ କରନ୍ତି। ତାସହିତ ପରୀକ୍ଷା ଲାଗି ବି ପଢାପଢି କରନ୍ତି। ସଂଧ୍ୟାରେ ଘରକୁ ଫେରି ପୁଣି ପରିବାର ସମ୍ଭାଳନ୍ତି। ଦେବେ ତାଙ୍କ ସ୍ୱପ୍ନ ପୂରଣରେ ପରିବାର ଲୋକଙ୍କ ପ୍ରେରଣା ଓ ସହଯୋଗ ରହିଥିବା କହନ୍ତି ରୀନା।
ସ୍ୱାମୀ, ଶାଶୁ ଓ ଶ୍ୱଶୁରଙ୍କ ସହ ରୀନାଙ୍କ ଉପରେ ଥିଲା ୭ ବର୍ଷର ଝିଅ ଖୁସିର ଗୁରୁ ଦାୟିତ୍ୱ। ତେବେ ନିଜ ଲକ୍ଷ୍ୟ ପୂରଣ ଲାଗି ରୀନା କେବେ ବି ପରିବାରକୁ ଅବହେଳା କରିନାହାନ୍ତି। ଅନ୍ୟପକ୍ଷରେ ପରିବାର ସଦସ୍ୟଙ୍କ ସାହାଯ୍ୟ ସହଯୋଗ ହିଁ ତାଙ୍କ ସଫଳତାର ଚାବିକାଠି ବୋଲି କହନ୍ତି ରୀନା। ରୀନାଙ୍କ ଶ୍ୱଶୁର ଜଣେ ପୂର୍ବତନ ସେନା କର୍ମଚାରୀ ଥିଲେ। ଦେଶ ପାଇଁ କିଛି କରିବା ଲାଗି ରୀନାଙ୍କ ଇଚ୍ଛାକୁ ଦେଖି ତାଙ୍କୁ ସେନାରେ ଭର୍ତ୍ତି ହେବା ଲାଗି ଉତ୍ସାହିତ କରିଥିଲେ ଶ୍ୱଶୁର ଲବଣୀ ନାୟର। ଇଛାଶକ୍ତି ଦୃଢ଼ ଥିଲେ ଲକ୍ଷ୍ୟ ଦୂର ନୁହେଁ ଏକଥାକୁ ମର୍ମେ ମର୍ମେ କରି ଦେଖାଇଛନ୍ତି ଓଡ଼ିଆ ବୋହୂ ରୀନା ନାୟକ।