ରାସ୍ତା ମଝିରେ ଛୁଆକୁ ଜଗିଥିଲା ମା’ କୁକୁର, ଚାଟୁଥିଲା, ହେଲେ ଜାଣି ନ ଥିଲା…

ସୋର(ଶଶିକାନ୍ତ ବେହେରା): ମୋ ଛୁଆକୁ ଛାଡ଼ି କୁଆଡେ ଯିବିନି.. ଉଠୁ ଧନ..ଆ, ଖେଳିବୁ ମୋ ସାଙ୍ଗରେ…। ସତେ ଯେମିତି ଏହି ଭାବ ନେଇ ଛୁଆକୁ ଚାଟି ପକାଉଛି। ହେଲେ ଛୁଆ ଉଠୁନି। କେମିତି ବା ଉଠିବ ? ସେ ଶୋଇଯାଇଛି ଚିର ନିଦ୍ରାରେ। ଯେତେ ଡାକିଲେ ବି ସେ ଆଉ ଉଠିବନି। ହେଲେ ମାତୃ ହୃଦୟ ତା’ର କେମିତି ବୁଝିବ ଏକଥା ? ମୃତ ଛୁଆକୁ ରାସ୍ତା ମଝିରେ ଜଗି ରହିଛି ମାଆ କୁକୁରଟି ।

ମା’ କୁକୁରଟି ଭାବୁଛି, ଛୁଆ ତା’ର ପୁଣି ଉଠିବ।  ତା’ ସଙ୍ଗେ ଖେଳିବ। ବାରମ୍ବାର ଚାଟି ପକଉଛି ମୃତ ଛୁଆକୁ। ଗେଲ କରି ପକାଉଛି । ପାଖରେ ତା’ର ଅନ୍ୟ ଛୁଆମାନେ ବି ଅଛନ୍ତି। ହେଲେ ମା’ କୁକୁରର ଯେମିତି ସେମାନଙ୍କ ପ୍ରତି ନିଘା ନାହିଁ। ତଳେ ପଡିଥିବା ମୃତ ଛୁଆକୁ ଉଠାଇବା ପାଇଁ ତା’ର ସବୁ ପ୍ରୟାସ ଜାରି ରଖିଛି।  ମା’ ମନ ତା’ର ବୁଝି ପାରୁନି ଯେ, ତା’ର ଛୁଆ ଆଉ ନାହିଁ । ଚାଲିଯାଇଛି ଏକ ଅଫେରା ରାଇଜକୁ ।

ଏମିତି ଏକ ହୃଦୟସ୍ପର୍ଶୀ  ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନ ନିକଟରେ। ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି । କୁକୁର ହେଲେ ବି ମନ ତା’ର ବାତ୍ସଲ୍ୟ ମମତାରେ ଯେ ପରିପୂର୍ଣ୍ଣ, ଏକଥା ସ୍ପଷ୍ଟ ବାରି ହୋଇପଡୁଛି । ରେଳ ଷ୍ଟେଶନ ନିକଟରେ ପ୍ରାୟ ୩ ଘଣ୍ଟା ଧରି ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ତିନି ଘଣ୍ଟା ପରେ ସ୍ଥାନୀୟ ଲୋକେ ମୃତ କୁକୁର ଛୁଆଟିକୁ ରାସ୍ତାକୁ ହଟାଇଥିଲେ। ତଥାପି କୁକୁରଟି ସେହି ସ୍ଥାନରୁ କିଛି ସମୟ ପାଇଁ ଯାଇ ନ ଥିଲା। କୁକୁରର ଏହି ମମତା ଉପସ୍ଥିତ ଲୋକଙ୍କ ଆଖି ଓଦା କରି ଦେଇଥିଲା।

 

You might also like