ଭିଡ଼ ଭିତରେ ଝିଅକୁ ଛାଡ଼ି କୁଆଡ଼େ ପଳାଇଲା ନିର୍ଦ୍ଦୟୀ ମାଆ? ଖୋଜୁଛି କୁନି ଝିଅ

ଜଗତସିଂହପୁର: ଦୁଇ ବର୍ଷର କୁନି ଝିଅ। ଠିକ୍‌ରେ କଥା କହିପାରୁନି। ହେଲେ ମାଆକୁ ନପାଇ ରାହାଧରି କାନ୍ଦୁଛି। ଚାରି ଆଡ଼କୁ ଅନାଇ ଜନଗହଳି ଭିତରେ ମନେ ମନେ ମାଆକୁ ଖୋଜୁଛି। ସତେ ଯେମିତି ସେ କହୁଛି ମାଆଲୋ ତୁ କଉଠି ଅଛୁ, ମୋତେ ନେଇ ଯାଆ, ମୋତେ ଶୀଘ୍ର ନେଇଯାଆ…। କୁନି ଝିଅଟି କଥା କହିପାରୁନଥିଲେ ମଧ୍ୟ ତା ଆଖିରୁ ଝରିପଡ଼ୁଥିବା ଲୁହରୁ ସବୁକିଛି ଜଣାପଡ଼ୁଛି।

ଆଜି ଅପରାହ୍ନ ୪ଟାରୁ ସାଢ଼େ ୪ଟା ହେବ। ଜଗତସିଂହପୁର ଗୋରେଖନାଥଙ୍କ ପୀଠରେ ଭିକ୍ଷାବୃତ୍ତି କରୁଥିବା ଜଣେ ବୃଦ୍ଧାଙ୍କ ପାଖରେ ଜଣେ ମହିଳା ନିଜର ଦୁଇ ବର୍ଷର ଛୁଆକୁ ଛାଡ଼ି ଥିଲେ। ଆଉ କହିଥିଲେ, ମାଉସୀ ମୋ ସ୍ୱାମୀଙ୍କୁ ଖୋଜିବା ପାଇଁ ଯାଉଛି, ଝିଅକୁ ଟିକେ ଲକ୍ଷ୍ୟ କରିଥିବ। ଏହା ପରେ ମହିଳା ଜଣକ ଗୋରେଖନାଥ ପୀଠ ଭିତରକୁ ଯାଇଥିଲେ। ହେଲେ ଫେରିଲେ ନାହିଁ। ଦୀର୍ଘ ସମୟ ଧରି ମହିଳା ଜଣକ ନଫେରିବାରୁ ଛୁଆଟି ରାହା ଧରି କାନ୍ଦିଥିଲା। ବୃଦ୍ଧା ଜଣକ ଛୁଆଟିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଝିଅଟି ମାଆକୁ ନପାଇ ରାହା ଧରି କାନ୍ଦିବା ଆରମ୍ଭ କରିଥିଲେ। କାନ୍ଦ ବନ୍ଦ କରୁନଥିଲା।

ଶେଷରେ ବୃଦ୍ଧା ଜଣକ ସ୍ଥାନୀୟ ଲୋକଙ୍କୁ ପୂରା ଘଟଣା କହିଥିଲେ। ଏହା ପରେ ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି CWC କୁ ହସ୍ତାନ୍ତର କରାଯାଇଛି। ରାତି ପର୍ଯ୍ୟନ୍ତ ମାଆ-ବାପା ଛୁଆକୁ ନେବା ପାଇଁ ଆସିନଥିବାରୁ CWC ଚିନ୍ତାରେ ପଡ଼ି ଯାଇଛି। ଶିଶୁ ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ ମାଆ ଓ ବାପାଙ୍କ ସମ୍ପର୍କରେ ତଥ୍ୟ ନମିଳିଲେ ଶିଶୁକନ୍ୟାକୁ ଶିଶୁ ଆଶ୍ରମରେ ରଖାଯିବ।

You might also like