କୁଖ୍ୟାତ ବ୍ରାଉନ୍‌ସୁଗର ବେପାରୀ ‘ଛୋଟା’ର ବେଆଇନ୍‌ ଘର ଉଚ୍ଛେଦ

ଖୋର୍ଦ୍ଧା: ଖଣି ମାଫିଆ ତଥା କୁଖ୍ୟାତ ବ୍ରାଉନ୍‌ସୁଗର ବେପାରୀ ଶୁଭ୍ରାଂଶୁ ପରିଡ଼ାଙ୍କ ବେଆଇନ୍‌ ଘର ଉଚ୍ଛେଦ କରାଯାଉଥିବା ସୂଚନା ମିଳିଛି।

ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗରେ ଶୁଭ୍ରାଂଶୁ ପରିଡ଼ା ଓରଫ୍ ଛୋଟାର ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ପ୍ରାୟ ୨୦ ବଖରା ଘର ରହିଛି। ରିପୋର୍ଟ ଲେଖାଯିବା ସୁଦ୍ଧା ବର୍ତ୍ତମାନ ଯାଏ ଏହି ବେଆଇନ୍‌ ଘରକୁ ଉଚ୍ଛେଦ କରାଯାଉଛି। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ୨ଟି ଜେସିବି ସାହାଯ୍ୟରେ ଏହି ଘର ସବୁ ଘର ଭଙ୍ଗା ଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ୪ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି।

ଶୁଭ୍ରାଂଶୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ର ୱାଣ୍ଟେଡ୍ ତାଲିକାରେ ଥିଲା। ତେବେ ଗତ ସପ୍ତାହରେ ଖୋର୍ଦ୍ଧା କୋର୍ଟରେ ସେ ଆତ୍ମସମର୍ପଣ କରିଥିଲା। ସେ ନିଜର ଏକ ମାଫି‌ଆ ଗ୍ୟାଙ୍ଗ୍‌ ଚଳାଇ ଆସୁଥିଲା। ଖୋର୍ଦ୍ଧା, ଭୁବନେଶ୍ୱର, ଯାଜପୁର, ପୁରୀ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ସେ ଏକ ଜଣାଶୁଣା ବ୍ରାଉନସୁଗର ବେପାରୀ ଭାବେ ପରିଚିତ ଥିଲା। ଖାଲି ଏତିକି ନୁହେଁ ସେ ଚୋରା ବନ୍ଧୁକ, ବାଇକ୍‌ ଓ ଦରମା ଦେଇ ଗ୍ୟାଙ୍ଗରେ ଏକାଧିକ  ଅପରାଧୀଙ୍କୁ ନିୟୋଜିତ ମଧ୍ୟ କରିଥିଲା। ଚୋରା ଖଣି ବେପାର ଓ ବ୍ରାଉନସୁଗରରୁ ଆସୁଥିବା ଟଙ୍କାକୁ  ସେ ବ୍ୟବସାୟରେ ଲଗାଉଥିଲା ବୋଲି ଜଣାପଡ଼ିଛି।

You might also like