ଦଳ ଛାଡ଼ିଲେ ମୋଷ୍ଟ ୱାଣ୍ଟେଡ ମହିଳା ମାଓବାଦୀଙ୍କ ସହ ୪ ନକ୍ସଲ

ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢୀ): ବିଶାଖାପାଟଣା ଗ୍ରାମାଞ୍ଚଳ ପୋଲିସ ନିକଟରେ ଜଣେ ମୋଷ୍ଟ ୱାଣ୍ଟେଡ୍‌ ମହିଳା ମାଓବାଦୀଙ୍କ ସହ ୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ସମସ୍ତ ମାଓବାଦୀ ପେଦାବାୟାଳୁ ଏରିଆ କମିଟି ମାଓ ଦଳରେ ସକ୍ରିୟ ଥିଲେ। ଆତ୍ମସମର୍ପଣ କରିଥିବା ମୋଷ୍ଟ ୱାଣ୍ଟେଡ ମହିଳା ମାଓବାଦୀ ଜଣକ ହେଲେ କେ. ସୀତା ଓରଫ  ସ୍ୱର୍ଣ୍ଣା  ଓରଫ ଷୈଲୁ।

୨୫ବର୍ଷୀୟ ସ୍ୱର୍ଣ୍ଣା ବିଶାଖାପାଟଣା ଜିଲାର ପେଦାବାୟାଳୁ ପଂଚାୟତର ଜମିଗୁଡା ବାସିନ୍ଦ।  ସେ ଗତ ୨୦୧୦ ମସିହାଠାରୁ ମାଓ ଦଳରେ ସକ୍ରିୟ ଥିଲା।  ସେ କନ୍ଧ ଜାତିର ହୋଇଥିବାରୁ ଆନ୍ଧ୍ର ଓଡିଶା ସୀମାନ୍ତ ଅଂଚଳର ଆଭ୍ୟନ୍ତରଣ ଇଲାକାରେ ରହିଥିବା ଅଂଚଳ ସହ ଭଲ ରୂପେ ପରିଚିତ ଥିବାରୁ ମାଓବାଦୀ ମାନେ ପ୍ରଥମେ ଗାଲୀକୋଣ୍ଡା, ପରେ କୋରୁକୋଣ୍ଡା, ପେଦାବାୟାଳୁ, ମାଛକୁଣ୍ଡ ଏରିଆ କମିଟି ଭଳି ବହୁ ଦଳରେ ସେ ସକ୍ରିୟ ଥିଲେ। ଏଥିସହ ମାଓ ମହିଳା ସଂଘ, ଜନ ନାଟ୍ୟ ମଣ୍ଡଳୀ, ଆଦିବାସୀ ବିପ୍ଳବ ସହିତ କୁଲି ସଂଘରେ ମଧ୍ୟ ସକ୍ରିୟ ଥିଲେ।

ବର୍ତମାନ ପେଦାବାୟାଳୁ ମାଓ ଦଳରେ ଏରିଆ କମିଟି ମେମ୍ବର ରୂପେ କାର୍ଯ୍ୟରତ ଥିଲେ ସ୍ୱର୍ଣ୍ଣା । ତାଙ୍କ ନାମରେ ଆନ୍ଧ୍ର ଓ ଓଡିଶା ରାଜ୍ୟର ବିଭିନ୍ନ ପୋଲିସ ଥାନାରେ ୯ ଟି ହତ୍ୟା ମାମଲା, ଗୋଟିଏ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୬ ଟି ପୋଲିସ ମାଓବାଦୀ ଗୁଳି ବିନିମୟ, ୨ଟି ପୋଲିସ ଅସ୍ତ୍ରଶସ୍ତ୍ର ଚୋରି, ଗୋଟିଏ ବିଏସଏନଲ ମୋବାଇଲ ଟାୱାର ବିସ୍ଫୋରଣ, ଗୋଟିଏ ଚୋରି ଏବଂ ଆନ୍ଧ୍ର ଓଡିଶାର ବହୁ ଜାଗାରେ ପ୍ରଜା କୋର୍ଟ କରି ନିରୀହ ଆଦିବାସୀଙ୍କୁ ହତ୍ୟା ଭଳି ବହୁ ମାମଲା ରହିଛି। ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ସ୍ୱର୍ଣ୍ଣା ନାମରେ ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

ସ୍ୱର୍ଣ୍ଣା ସହିତ ପେଦାବାୟାଳୁ ଏରିଆ କମିଟି ମାଓ ଦଳର ଅନ୍ୟ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।  ଏଥିରେ ଅଛନ୍ତି ପାଙ୍ଗି ମୂସୁରୀ  ଓରଫ ଚିଟିବାବୁ । ସିଏ ମାଓ ଦଳରେ ମିଲିସିଆ କମାଣ୍ଡର ରୂପେ ୨୦୧୦ ମସିହାରୁ ସକ୍ରିୟ ଥିଲେ। ଚିଟିବାବୁ ନାମରେ ଆନ୍ଧ୍ରାଓଡ଼ିଶାର ବିଭିନ୍ନ ପୋଲିସ ଥାନାରେ ୧୦ ରୁ ଉର୍ଦ୍ଧ ମାମଲା ରହିଛି।  ଏଥିସହିତ ୨ ଜଣ ମିଲିସିଆ ମେମ୍ବର କେ. ଭେଙ୍କଟ ରାଓ ଓ ପାଙ୍ଗି ଗୋପାଳ ରାଓ  ଓରଫ ଗୋପାଳ ମଧ୍ୟ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ଦିନକୁ ଦିନ ପୋଲିସ ପକ୍ଷରୁ କୋମ୍ବିଂ ଅପରେସନ ବୃଦ୍ଧି କରାଯାଉଥିବାରୁ ତଥା ନିଜ ପରିବାର ସଦସ୍ୟଙ୍କ ପକ୍ଷରୁ ମାଓ ଦଳ ଛାଡିବା ପାଇଁ ବାଧ୍ୟ କରାଯିବା, ମାଓବାଦୀମାନେ ଇନଫର୍ମର ନାମରେ ନିରୀହ ଆଦିବାଦୀଙ୍କୁ ହତ୍ୟା କରିବା ଓ ମାଓବାଦୀ କୀଟ ବୋହି ବୋହି ଛାତି ଓ ପିଠିରେ ଯନ୍ତ୍ରଣା ଏବଂ ମାନସିକ ଶାନ୍ତି ନଥବାରୁ ମାଓଦଳ ଛାଡିଥିବା ସେମାନେ ପ୍ରକାଶ କରିଛନ୍ତି।

ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ସରକାରଙ୍କ ଦ୍ୱାରା ନିଦ୍ଧାରିତ ପୁରସ୍କାର ସେମାନଙ୍କୁ ପ୍ରଦାନ କରାଯିବା ସହ ଅନ୍ୟ ସମସ୍ତ ସୁବିଧା ପ୍ରଦାନ କରାଯିବା ବୋଲି ପୋଲିସ ଦି.ଆଇ.ଜି ଏଲ.କେ.ଭି. ରଙ୍ଗା ରାଓ ପ୍ରକାଶ କରିଛନ୍ତି.

You might also like