ରାଜ୍ୟର ସବୁ ଚାଷୀଙ୍କୁ ମିଳିବ କି ‘କାଳିଆ’ ଯୋଜନାର ଲାଭ : ଚାଷୀ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର : ରାଜ୍ୟର ସବୁ ଚାଷୀ ପରିବାର ପାଇବେ କି କାଳିଆ ଯୋଜନାର ଫାଇଦା? ଚାଷୀଙ୍କ  ସଂଖ୍ୟାକୁ ନେଇ ସରକାରଙ୍କ ଭିନ୍ନ ଭିନ୍ନ ତଥ୍ୟ ଏବେ ଏମିତି ସନ୍ଦେହ ସୃଷ୍ଟି କରିଛି।

ମୁଖ୍ୟମନ୍ତ୍ରୀ କହୁଛନ୍ତି ରାଜ୍ୟର ଚାଷୀ ପରିବାର ସଂଖ୍ୟା ୩୨ ଲକ୍ଷ। ଆଉ ଏଥିରୁ ୯୨ ପ୍ରତିଶତ ଚାଷୀ ପରିବାରଙ୍କୁ କାଳିଆ ଯୋଜନାରେ ୩ ବର୍ଷରେ ୧୦ ହଜାର କୋଟିର ସହାୟତା ମିଳିବ। ତେବେ ପ୍ରଶ୍ନ  ରାଜ୍ୟରେ ଚାଷୀ ପରିବାର କଣ ୩୨ ଲକ୍ଷରେ ସୀମିତ। ଏ ବର୍ଷ ଏପ୍ରିଲ ୧୭ରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ବିଧାନସଭାରେ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ୨୦୧୧ ମସିହାରେ ହୋଇଥିବା ଗଣନା ଅନୁସାରେ ରାଜ୍ୟରେ ସବୁବର୍ଗର ଚାଷୀଙ୍କ ସଂଖ୍ୟା ହେଉଛି ୪୬ ଲକ୍ଷ ୬୭ ହଜାର। କୃଷି ଶ୍ରମିକଙ୍କୁ ମିଶାଇଲେ ସଂଖ୍ୟା ୬୭ ଲକ୍ଷ ୩୯ ହେଉଛି।

କୃଷି ଗଣନା ପ୍ରତି ୫ ବର୍ଷରେ ହୁଏ। ଯେହେତୁ ୧୫- ୧୬ ମସିହା ଗଣନା ରିପୋର୍ଟ ଉପଲବଧି ନାହିଁ, ତେଣୁ  ୨୦୧୧ରେ ଅର୍ଥନୈତିକ ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ତଥ୍ୟକୁ ଆଧାର କରି କୃଷକଙ୍କ ଏହି ସଂଖ୍ୟା  ଦେଇଥିଲେ ମନ୍ତ୍ରୀ।

ପ୍ରଶ୍ନ ଉଠୁଛି ଯଦି ୩୨ ଲକ୍ଷ ଏହି ଚାଷୀ ପରିବାର କାଳିଆ ଯୋଜନାର ଫାଇଦା ପାଇବେ, ବାକି ୧୪ ଲକ୍ଷ ଚାଷୀ ପରିବାର କଣ ଏଥିରୁ ବଞ୍ଚିତ ହେବେ? ବିଧାନସଭାରେ  ମନ୍ତ୍ରୀ ଏପ୍ରିଲ ମାସରେ ଦେଇଥିବା ତଥ୍ୟ ବିଷୟରେ ଏବେ ତାଙ୍କର ମନେ ନାହିଁ ବୋଲି କହୁଛନ୍ତି।

ଏପଟେ ପ୍ରାଇସ୍‌ ପ୍ରେଷ୍ଟିଜ ପେନସନ ଦାବିରେ ଆନ୍ଦୋଳନ କରୁଥିବା ନବନିର୍ମାଣ କୃଷକସଂଗଠନ କହିଛି ମୂଳ ଦାବିରୁ ଖସିବାକୁ ଏହା ସରକାରଙ୍କ ଏକ ବାହାନା।  ବିଜେପି ଓ କଂଗ୍ରେସ ମଧ୍ୟ ଯୋଜନାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚ୍ୱିଟ୍ କରି ପ୍ରଶ୍ନ କରିଛନ୍ତି ଭାଗଚାଷୀଙ୍କ ସଂଖ୍ୟା ସରକାରଙ୍କ ପାଖରେ ନ ଥିବା ବେଳେ କେଉଁ ଆଧାରରେ ସେ ଚାଷୀଙ୍କୁ ସହାୟତା ଦେବେ।

ମୁଣ୍ଡ ଉପରେ ନିର୍ବାଚନ। ଛତିଶଗଡ଼, ଗୁଜରାଟ ଓ ମଧ୍ୟପ୍ରଦେଶରେ ଚାଷୀ ଅସନ୍ତୋଷ ବିଜେପିକୁ ଗାଦିଚ୍ୟୁତ କରିଥିବା ଚର୍ଚ୍ଚା ଦୃଷ୍ଟିରୁ କୃଷି ଋଣ ଛାଡ଼ ନ କରି ଚାଷୀଙ୍କୁ ସନ୍ତୁଷ୍ଟ କରିବାକୁ ନବୀନ ସରକାର କାଳିଆ ଯୋଜନା କୁ ଭରସା କରିଥିବା ଆକଳନ କରାଯାଉଛି।

You might also like