ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ରାଜ୍ୟରେ ଆୟୂଷ ହସ୍ପିଟାଲ ପ୍ରତିଷ୍ଠା ହୋଇ ପାରୁନାହିଁ ବୋଲି କହିଛନ୍ତି କେନ୍ଦ୍ର ଆୟୂଷ ମନ୍ତ୍ରୀ ଶ୍ରୀପଦ ନାୟକ। ବାଲେଶ୍ୱରରେ ୫୦ ଶଯ୍ୟା ବିଶିଷ୍ଟ ଆୟୂଷ ହସ୍ପିଟାଲ ପ୍ରତିଷ୍ଠା ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ନାୟକ ଜଣାଇଛନ୍ତି ଯେ, ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ପ୍ରତିଷ୍ଠା କାର୍ଯ୍ୟ ବିଳମ୍ବ ହେଉଛି।
ବ୍ରହ୍ମପୁର ଓ ଢେଙ୍କାନାଳରେ ପ୍ରସ୍ତାବିତ ହସ୍ପିଟାଲ ପାଇଁ ଖର୍ଚ୍ଚର ରିପୋର୍ଟ ଏଯାଏ ରାଜ୍ୟ ସରକାର ପ୍ରଦାନ କରିନାହାନ୍ତି। ବିନିଯୋଗ ରିପୋର୍ଟ ନ ମିଳିବାରୁ ବାଲେଶ୍ୱର ହସ୍ପିଟାଲ ଲାଗି ଅର୍ଥ ମଞ୍ଜୁର କରାଯାଉନାହିଁ ବୋଲି ମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି। ଏଣୁ ରାଜ୍ୟ ସରକାର ତୁରନ୍ତ ବିନିଯୋଗ ପ୍ରମାଣପତ୍ର ଦେବା ସହ ବାଲେଶ୍ୱରର ଏହି ଡାକ୍ତରଖାନା ନିର୍ମାଣ ପାଇଁ ବାର୍ଷିକ ଯୋଜନାରେ ସାମିଲ କରି ପ୍ରସ୍ତାବ ପଠାଇବା ପାଇଁ ଶ୍ରୀପଦ ପରାମର୍ଶ ଦେଇଛନ୍ତି।
ଆୟୂଷ ହସ୍ପିଟାଲ ପ୍ରତିଷ୍ଠା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର, ରେମୁଣାର ବିଧାୟକ ଗୋବିନ୍ଦ ଦାସ ତାଙ୍କ ନିକଟକୁ ପଠାଇଥିବା ଚିଠିକୁ ଉଦ୍ଧୃତ କରି କେନ୍ଦ୍ର ଆୟୂଷ ମନ୍ତ୍ରୀ ଶ୍ରୀପଦ ନାୟକଙ୍କୁ ଚିଠି ଲେଖିଥିଲେ। ଏହାର ଉତ୍ତରରେ ଶ୍ରୀପଦ ଏହି ଚିଠି ଲେଖିଛନ୍ତି। ତେବେ ଶ୍ରୀପଦଙ୍କ ଏହି ଚିଠିକୁ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
https://youtu.be/4_nK5rGlfDQ