ଆସନ୍ତା କାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ

୩ ଦଳର ବିଧାୟକ ଦଳ ବୈଠକ, ରଣନୀତି ପ୍ରସ୍ତୁତ

ଭୁବନେଶ୍ୱର : ଆସନ୍ତା କାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ। ତା ପୂର୍ବରୁ ଅାଜି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଦୁର୍ନୀତି, ମହିଳା ନିର୍ଯାତନା, ଅାଇନଶୃଙ୍ଖଳା, ଚାଷୀ ସମସ୍ୟା, ଅଘୋଷିତ ବିଜୁଳି କାଟ ସାଙ୍ଗକୁ ଅାୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ନହେବା ଅାଦି ପ୍ରସଙ୍ଗ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି।

ସେହିପରି ଗୁରୁପ୍ରିୟା ଦୁର୍ନୀତି, ବେକାରୀ ସମସ୍ୟା, ଲୋକପାଳ ନିଯୁକ୍ତି ପ୍ରସଙ୍ଗ ସହ ଚାଷୀଙ୍କୁ ବୀମା ଅର୍ଥ, ବିଧାନ ପରିଷଦ ଗଠନ ପ୍ରସ୍ତାବ ଭଳି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିବ କଂଗ୍ରେସ। ସେପଟେ ଶାସକ ବିଜେଡି କେନ୍ଦ୍ର ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିବ। ଏହାସହ ମହାନଦୀ, ପୋଲାଭରମ୍, ତୈଳ ଦର ବୃଦ୍ଧି ପ୍ରସଙ୍ଗ ଗୃହରେ ଉଠାଇବାକୁ ନିଷ୍ପତ୍ତି ନେଇଛି।

ଅାସନ୍ତାକାଲି ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାଇଁ ଶୋକ ପ୍ରସ୍ତାବ ଅାଗତ ହେବ। ୫ ତାରିଖରେ ଅତିରିକ୍ତ ବଜେଟ୍ ଓ ୬ ତାରିଖରେ ବିଧାନ ପରିଷଦ ଗଠନ ସମ୍ପର୍କିତ ସଂକଳ୍ପ ଅାଗତ ହେବ।

You might also like