ଧୋକା ଦେଲା ମୌସୁମୀ: ଶ୍ରାବଣ ମାସରେ ବିଲ ଫାଟି ଆଁ

ଭୁବେନଶ୍ୱର: ଧୋକା ଦେଇଛି ମୌସୁମୀ। ଶ୍ରାବଣ ମାସରେ ବିଲ ଫାଟି ଆଁ କଲାଣି। ପାଣି ଅଭାବରୁ ପ୍ରଭାବିତ ହୋଇଛି ଚାଷ। ବର୍ଷା ନହେବାରୁ କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲାର ଚାଷୀ ହତାସ।

ଶ୍ରାବଣ ମାସ ହେଲାଣି, ହେଲେ ବର୍ଷାର ଦେଖା ନାହିଁ। କେଉଁଠି ଧାନ ତଳି ପୋଡ଼ିଲାଣି ତ କେଉଁ ସ୍ଥାନରେ ମକା, ଚିନା ବାଦାମ ଗଛ ସବୁ ମରିବାକୁ ବସିଲାଣି। ସ୍ୱଳ୍ପ ବୃଷିପାତ ଯୋଗୁ ଗଜପତି ଜିଲ୍ଲା ମୋହନାରେ ଠପ୍ ହୋଇପଡ଼ିଛି ଚାଷ କାମ। ବିଲରେ ପାଣି ନଥିବାରୁ ଧାନ ରୋଇପାରୁ ନାହାଁନ୍ତି ଚାଷୀ। ବର୍ଷାର  ନହେବାରୁ ଅନେକ ଜମି ଏଥ ପଡ଼ିଆ ରହିଛି। କିଛି ଦିନ ମଧ୍ୟରେ ବର୍ଷା ନ ହେଲେ ମରୁଡ଼ି ପରିସ୍ଥିତି ଉପୁଜିବ। ଏଣେ ଧାର କରଜ ଟଙ୍କା କେମିତି ଶୁଝିବେ ଚାଷୀଙ୍କୁ ସେଇ ଚିନ୍ତା ଘାରୁଛି। ସେପଟେ ଯେଉଁ ସବୁ ଜମି ନିକଟରେ ପାଣିର ସୁବିଧା ରହିଛି, ସେହି ଚାଷୀମାନଙ୍କୁ ସବ୍‌ସିଡିରେ ପାଣି ପମ୍ପ ଯୋଗାଇ ଦିଆଯିବ ବୋଲି ସହକାରୀ କୃଷି ଅଧିକାରୀ କହିଛନ୍ତି।

ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକର ଶହ ଶହ ଏକର  ଜମିରେ ତଳି ପୋଡ଼ିବାକୁ ବସିଲାଣି।  ଶ୍ରାବଣ ମାସରେ ରୁଆ ଉପଡ଼ା ଅଧା ହେବା ଜାଗାରେ ଏବେ ବିଲ ଫାଟି ଆଁ କରିଛି। ସେପଟରେ ପଟ୍ଟାମୁଣ୍ଡାଇ କେନାଲ ଉପରେ ନିର୍ଭର କରି ଚାଷ କରୁଥିବା ଚାଷୀ ବି ହତାଶ ହୋଇଛନ୍ତି।

ଗୋଟିଏ ପଟେ ମେଘ ଦାଉ ସାଧିଥିବା ବେଳେ, ଅନ୍ୟପଟେ କେନାଲ ବି ଶୁଖିଲା ପଡ଼ିଥିବା ଦେଖିବାକୁ ମିଳୁଛି। ସେପଟେ କମ୍ ବୃଷ୍ଟିପାତ କଥାକୁ କୃଷି ଅଧିକାରୀ ସ୍ୱୀକାର କରିଛନ୍ତି। ୨-୩ ଦିନ ଭିତରେ ବର୍ଷା ନହେଲେ ମରୁଡ଼ି ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ସେ କହିଛନ୍ତି। କେନାଲରେ ପାଣି ନଥିବା ସଂର୍ପକରେ ଜଳ ସେଚନ ସହକାରୀ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଗୋଟିଏ ପଟେ ପ୍ରକୃତିର କୋପ, ଅପରପଟେ ପ୍ରଶାସନର ଅଣଦେଖା, ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସାଜିଛି। ଏପରି ସ୍ଥିତି ଚାଷୀ ଯିବ ତ କୁଆଡ଼େ ଯିବ।

 

You might also like