ECMO ଟ୍ରିଟମେଂଟ୍‌ ପାଇଁ ବାଧକ ସାଜୁଛି ଅର୍ଥ

ଭଦ୍ରକର ନବବିବାହିତ ଅଭିଷେକଙ୍କ କ୍ଷେତ୍ରରେ ବଡ଼ ବାଧକ ସାଜିଛି ଅର୍ଥ

  • ଏୟାରଲିଫ୍ଟିଂ ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ
  • ଇକ୍ମୋ ଟ୍ରିଟମେଂଟ୍‌ ପାଇଁ କୋଲକାତା ଏୟାରଲିଫ୍ଟିଂ ହେଲେ ଦେବାଶିଷ
  • ଗ୍ରୀନ୍ କରିଡ଼ରରେ କଟକରୁ ଏୟାରପୋର୍ଟ ଆସିଲା ଆମ୍ବୁଲାନ୍ସ

ଭୁବନେଶ୍ୱର: କୋଭିଡରେ ସଙ୍କଟାପନ୍ନ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ ଆଜି ECMO ଚିକିତ୍ସା ଲାଗି କୋଲକାତା ଏୟାରଲିଫ୍ଟିଂ କରାଯାଇଛି। କଟକରେ ସେ ଚିକିତ୍ସିତ ହେଉଥିବା ହସ୍ପିଟାଲରୁ ଭୁବନେଶ୍ୱର ଏୟାରପୋର୍ଟ ପର୍ଯ୍ୟନ୍ତ ତାଙ୍କୁ ଧରି ଆସିଥିବା ସ୍ୱତନ୍ତ୍ର ଆମ୍ବୁଲାନ୍ସ ପାଇଁ କରାଯାଇଥିଲା ଗ୍ରୀନ୍ କରିଡର। ସାଙ୍ଗରେ ଆସିଥିବା ଡାକ୍ତରମାନେ କହିଛନ୍ତି, ଦେବାଶିଷଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି, ECMO ଚିକିତ୍ସା ଫଳପ୍ରଦ ହୋଇପାରେ। ସେପଟେ ସେହି ECMO ଚିକିତ୍ସା ଲାଗି କୋଲକାତା ଯିବା ଅପେକ୍ଷାରେ ବାସୁଦେବପୁର ଅଞ୍ଚଳର ଯୁବକ ଅଭିଷେକ ମହାପାତ୍ର ଯାହାଙ୍କ ଏୟାରଲିଫ୍ଟିଂ ଓ ଚିକିତ୍ସା ଦିଗରେ ବିରାଟ ପ୍ରତିବନ୍ଧକ ସାଜିଛି ବିପୁଳ ଅର୍ଥ।

ପ୍ରାଣରକ୍ଷକ ECMO ଚିକିତ୍ସା ପାଇଁ କୋଲକାତାକୁ ଆଜି ଏୟାରଲିଫ୍ଟିଂ ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ। ମଧ୍ୟାହ୍ନ ପ୍ରାୟ ଗୋଟାଏ ୧୦ ମିନିଟ୍ କଟକ ଅଶ୍ୱିନୀ ହସ୍ପିଟାଲରୁ ଦେବାଶିଷଙ୍କୁ ଧରି ଭୁବନେଶ୍ୱର ଏୟାରପୋର୍ଟ ଅଭିମୁଖେ ବାହାରିଥିଲା ସ୍ପେଶାଲ୍ ଆମ୍ବୁଲାନ୍ସ। ସାଙ୍ଗରେ ଥିଲେ ଉଭୟ କ୍ରିଟିକାଲ୍ କେୟାର ଓ ECMO ବିଶେଷଜ୍ଞ। ସିଡିଏରୁ ଜାତୀୟ ରାଜପଥ ଦେଇ ଭୁବନେଶ୍ୱରର ହାଇଟେକ୍ ଛକ ଓ ଜୟଦେବ ବିହାର ଛକ ହୋଇ ବିମାନବନ୍ଦର ଅଭିମୁଖେ ଆସିଥିଲା ସ୍ୱତନ୍ତ୍ର ଆମ୍ବୁଲାନ୍ସ। ଆଗରେ ଥିଲା ପାଇଲଟିଂ ଭ୍ୟାନ, ଗ୍ରୀନ କରିଡ଼ରରେ ଏୟାରପୋର୍ଟ ପହଞ୍ଚିବାକୁ ଲାଗିଥିଲା ମାତ୍ର ୩୦ ମିନିଟ୍।

ଏପଟେ ଏୟାର ଲିଫ୍ଟିଂ ପାଇଁ ବି ପ୍ରସ୍ତୁତ ହୋଇ ରହିଥିଲା ଏୟାର ଆମ୍ବୁଲାନ୍ସ। ମାତ୍ର ୫ରୁ ୧୦ ମିନିଟ୍ ଭିତରେ ଦେବାଶିଷଙ୍କୁ ଧରି କୋଲକାତା ଅଭିମୁଖେ ବାହାରିଥିଲା ଏୟାର ଆମ୍ବୁଲାନ୍ସ। କରୋନାରେ ଆକ୍ରାନ୍ତ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଗତ ୨୯ ତାରିଖରେ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କର ଫୁସଫୁସ୍ ସଂକ୍ରମଣ ଜନିତ ସମସ୍ୟା ଗୁରୁତର ଭାବେ ବଢ଼ିଯିବା ସହ ମଧୁମେହ, ରକ୍ତଚାପ ଜନିତ ସମସ୍ୟା ମଧ୍ୟ ଅଧିକ ଜଟିଳ କରି ଦେଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କୋଲକାତାର ଏକ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ନିଆଯିବାକୁ ସ୍ଥିର ହୋଇଥିଲା। ଏମିତିକି ଗତକାଲି ତାଙ୍କୁ ଏୟାରଲିଫ୍ଟିଂ ଯୋଜନା ହୋଇଥିଲେ ମଧ୍ୟ କୌଣସି କାରଣରୁ ଶେଷ ମୁହୁର୍ତ୍ତରେ ସ୍ଥଗିତ ରହିଥିଲା।

ଆଉ ଆଜି ମଧ୍ୟାହ୍ନରେ ତାଙ୍କୁ କଟକରୁ ଭୁବନେଶ୍ୱର ଅଣାଯାଇଥିଲା। ତାଙ୍କୁ ସାଙ୍ଗରେ ଧରି ଆସିଥିବା ଡାକ୍ତରମାନେ କହିଛନ୍ତି ଦେବାଶିଷଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି, ଇକ୍ମୋ ଚିକିତ୍ସା ଫଳପ୍ରଦ ହୋଇପାରେ। ଏପଟେ ସେହି ECMO ଚିକିତ୍ସା ପାଇଁ କୋଲକାତା ଯିବା ଅପେକ୍ଷାରେ ଭଦ୍ରକ ବାସୁଦେବପୁର ଅଞ୍ଚଳର ସଙ୍କଟାପନ୍ନ ଯୁବକ ଅଭିଷେକ ମହାପାତ୍ର। ହେଲେ ସେ ଦିଗରେ କିନ୍ତୁ ଅର୍ଥ ସାଜିଛି ବିରାଟ ପ୍ରତିବନ୍ଧକ। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅଭିଷେକଙ୍କ ପରିବାର ଲୋକଙ୍କୁ ଶୀଘ୍ର ପ୍ରାଣରକ୍ଷକ ଇକ୍ମୋ ଚିକିତ୍ସା ପଦ୍ଧତି ଆପଣାଇବାକୁ ଶେଷବାଣୀ ଶୁଣାଇ ସାରିଲେଣି ଡାକ୍ତର।

  • ଭଦ୍ରକର ନବବିବାହିତ ଅଭିଷେକଙ୍କ କ୍ଷେତ୍ରରେ ବଡ଼ ବାଧକ ସାଜିଛି ଅର୍ଥ
  • ଇକ୍ମୋ ଚିକିତ୍ସା ପାଇଁ କୋଲକାତା ଯିବା ଅପେକ୍ଷାରେ ଅଭିଷେକ ମହାପାତ୍ର
  • ଅଭିଷେକଙ୍କୁ ଏୟାରଲିଫ୍ଟିଂ ପାଇଁ ଦରକାର ପାଖାପାଖି ୩୦ଲକ୍ଷ ଟଙ୍କା

ହେଲେ ଅଭିଷେକଙ୍କୁ ଏୟାରଲିଫ୍ଟିଂ ପାଇଁ ଦରକାର ପାଖାପାଖି ୩୦ଲକ୍ଷ ଟଙ୍କା, ଏତେ ଅର୍ଥ ନଥିବାରୁ ଉପାୟଶୂନ୍ୟ ହୋଇ ସଡ଼କ ପଥରେ ନେବାକୁ ବିଚାର କରୁଛନ୍ତି ପରିବାର ଲୋକ। ଏଣେ ମାତ୍ର ୩୩ ଦିନ ତଳେ ବିବାହ କରି ନୂଆ ଜୀବନ ଆରମ୍ଭ କରିଥିବା ଅଭିଷେକ କିନ୍ତୁ ଯେଉଁଭଳି ଜୀବନ ଯୁଦ୍ଧରେ ସଂଗ୍ରାମରତ, ତାକୁ ଦେଖି ସହ୍ୟ କରିପାରୁନାହାନ୍ତି ନବ ବିହାହିତା ପତ୍ନୀ ମୌସୁମୀ ଅଭିଷେକଙ୍କ ମାଆ ବି ପୁଅର ଜୀବନ ରକ୍ଷା ଲାଗି ବଦାନ୍ୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପାଇଁ ପ୍ରାର୍ଥନା କରୁଛନ୍ତି।

କରୋନାର ଦ୍ୱିତୀୟ ଲହରିରେ ଅନେର ରୋଗୀଙ୍କ ପାଖରେ ରୋଗର ଜଟିଳତା ବଢୁଥିବାରୁ ECMO ଚିକିତ୍ସା ଦରକାର ପଡୁଛି, ହେଲେ ରାଜ୍ୟର ଏହାର ପର୍ଯ୍ୟାପ୍ତ ସୁବିଧା ନଥିବାରୁ ବ୍ୟୟବହୁଳ ଚିକିତ୍ସା ପାଇଁ ଓଡ଼ିଶା ବାହାରକୁ ଯିବା ଏବେ ଅନେକଙ୍କ ପାଇଁ ଅସାଧ୍ୟ ହୋଇପଡ଼ିଛି।

କଟକରୁ ପ୍ରଭାତ ବିଷୋୟୀଙ୍କ ସହ ଭୁବନେଶ୍ୱରରୁ ଆଲୋକ ମହାନ୍ତି ଓ ଅରିନ୍ଦମ ଦାଶଙ୍କ ରିପୋର୍ଟ

You might also like