ଆସନ୍ତାକାଲି ଆସିବେ ମୋଦି : ୨୪ ଦିନରେ ୩ ଥର ଗସ୍ତ କାର୍ଯ୍ୟକ୍ରମ ରହିଛି

ବିରୋଧୀ କହିଲେ କାମ ଦେବନି ରଣନୀତି

ଭୁବନେଶ୍ୱର: ଆସନ୍ତାକାଲି ମୋଦିଙ୍କ ଓଡ଼ିଶା ଗସ୍ତ। ଏଥିପାଇଁ ପ୍ରସ୍ତୁତ ହେଉଛି ମଞ୍ଚ। ବରୁଣେଇ ପାହାଡ଼ ତଳେ ଗୈରିକମୟ ହେଲାଣି ଗୋଶାଳା ପଡ଼ିଆ। ଜନସମ୍ବାଦ ସମାବେଶରେ ମୋଦି କର୍ମୀଙ୍କୁ ୧୯ ପାଇଁ ପରିବର୍ତ୍ତନର ଆହ୍ୱାନ ଦେବେ। ଯେହେତୁ ତାଳଚେର ଓ ଝାରସୁଗୁଡ଼ାରେ ପିସି ପ୍ରସଙ୍ଗରେ ମୋଦି ନବୀନ ସରକାରଙ୍କୁ ସିଧା ଆଟାକ କରିଥିଲେ, ଏଥର ମଧ୍ୟ ଦୁର୍ନୀତି ପ୍ରସଙ୍ଗରେ ତାଙ୍କ ସ୍ୱର ଅଧିକ ଶାଣିତ ହୋଇପାରେ ବୋଲି କୁହାଯାଉଛି।

ବିଜେପି ପ୍ରସ୍ତୁତ କରିଥିବା ରଣନୀତି ଅନୁସାରେ ପ୍ରତି ଦୁଇ ସପ୍ତାହରେ ଓଡ଼ିଶା ଆସି ନବୀନଙ୍କୁ ଟାର୍ଗେଟ କରିବେ ମୋଦି-ଶାହା ଯୋଡ଼ି। ଉଭୟଙ୍କ ଫୋକସରେ ରହିବ ପରବର୍ତ୍ତନ ନାରା ସହ ବିକାଶର ବାର୍ତ୍ତା। ତେବେ କେବଳ କାଲି ନୁହେଁ ଆସନ୍ତା ୨୪ ଦିନ ମଧ୍ୟରେ ୩ଥର ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଜାନୁଆରୀ ୫ ତାରିଖରେ ବାରିପଦାରେ ମୋଦି ସମାବେଶ କରିବା ପରେ ପୁଣି ୧୬ ତାରିଖରେ ପଶ୍ଚିମ ଓଡ଼ିଶା ଗସ୍ତ କରିବେ। କେବଳ ମୋଦି-ଶାହା ଯୋଡ଼ି ନୁହଁନ୍ତି ଜାନୁଆରୀ ରାଜନାଥ ସିଂହ, ନୀତୀନ ଗଡ଼କରୀ ଓ ଯୋଗୀ ଆଦିତ୍ୟନାଥଙ୍କ ପରି ହେଭିୱେଟ ମଧ୍ୟ ପରିବର୍ତ୍ତନ ରଥ ଯାତ୍ରାରେ ସାମିଲ ହେବେ।

ଖୋର୍ଦ୍ଧାରେ ସାଧାରଣ ସଭା ପୂର୍ବରୁ IIT କ୍ୟାମ୍ପସରେ ମୋଦିଙ୍କ ସରକାରୀ କାର୍ଯ୍ୟକ୍ରମ ବି ରହିଛି। ଏଠାରେ ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବେ ମୋଦି।

ତେବେ ମୋଦିଙ୍କ ଗସ୍ତ ଓ ବିଜେପିର ବିକାଶ ନାରାକୁ କିନ୍ତୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ବିଜେଡି ଓ କଂଗ୍ରେସ। ମୋଦିଙ୍କୁ ସାମ୍ନାକୁ ଆଣି ବିଜେପି କରୁଥିବା ରଣନୀତି ଓଡ଼ିଶାରେ କାମ ଦେବନି ବୋଲି ଦୁଇ ଦଳ କହିଛନ୍ତି।

ଯଦିଓ ବରୁଣେଇରେ ପାଇକ ସ୍ମୃତି ପାଇଁ ରାଜ୍ୟ ସରକାର ଜମି ଦେବାରେ ବିଳମ୍ବ କରିଛନ୍ତି, ତଥାପି ମୋଦିଙ୍କ ହାତରେ ପାଇକ ବିଦ୍ରୋହର ସ୍ମାରକ ମୁଦ୍ରା, ଡାକଟିକଟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଇକ ବିଦ୍ରୋହ ଗବେଷଣା ଚ୍ୟାୟାରର ଶୁଭାରମ୍ଭ କରି ବିଜେପି ପାଇକ କାର୍ଡ ଖେଳିବାର ମଉକାକୁ ବି ହାତଛଡ଼ା କରିବାକୁ ଚାହୁଁନି।

You might also like