ପରିବର୍ତ୍ତନର ବିଗୁଲ ବଜାଇଲେ ମୋଦି

ରାଜ୍ୟ ସରକାରଙ୍କୁ ମୋଦି କଲେ ଟାର୍ଗେଟ

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପରିବର୍ତ୍ତନର ବିଗୁଲ ବଜାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡା ବିମାନବନ୍ଦରକୁ ଲୋକାର୍ପଣ କରିବା ପରେ ଅମ୍ଲିପାଲିରେ ଅାୟୋଜିତ ସାଧାରଣ ସଭାରେ ମୋଦି ନବୀନ ସରକାରକୁ ଜୋରଦାର ଟାର୍ଗେଟ କରିଥିଲେ ।

ସେ କହିଛନ୍ତି, ପିସି ଯୋଗୁଁ ପେସି ହେଉଛନ୍ତି ଓଡ଼ିଶାବାସୀ । ରାଜ୍ୟ ସରକାରଙ୍କୁ କଠୋର ଶବ୍ଦରେ ସମାଲୋଚନା କରି କହିଲେ ଓଡ଼ିଶାରେ ଏ ପିସି ଏବେ ପରିଚିତ ନାଁ ହୋଇଯାଇଛି । ପିସି ଯୋଗୁଁ ଗରିବ ଲୋକ ପେଷି ହୋଇଯାଉଛନ୍ତି  । ଏ ପିସି ପାଇଁ ଓଡ଼ିଶାରେ କୌଣସି ପ୍ରକାର ବିକାଶ ହୋଇପାରୁନାହିଁ । ଓଡ଼ିଶାରେ ଚାରା ଠାରୁ ଅାରମ୍ଭ କରି ରାସ୍ତାଘାଟ ଯାଏ ସବୁଠି ଘୋଟାଲା।

ଓଡ଼ିଶାରେ ଏବେ ଭ୍ରଷ୍ଟତନ୍ତ୍ର ଚାଲିଛି, ତେଣୁ ଲୋକେ ହନ୍ତସନ୍ତ ହେଉଛନ୍ତି। ଏଭଳି ସ୍ଥିତିରେ ବିକାଶ କେମିତି ସମ୍ଭବ ହେବ କହିଲେ ପ୍ରଧାନମନ୍ତ୍ରୀ ମୋଦି।  ସେଥିପାଇଁ ଓଡ଼ିଶାରେ ଏବେ ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି। ପରିବର୍ତ୍ତନ ହିଁ ଓଡ଼ିଶାକୁ ଅାଗକୁ ନେଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେପଟେ ଅାୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ନହେବା ନେଇ ସଭା ମଞ୍ଚରେ ହିଁ ନବୀନଙ୍କୁ ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଓଡ଼ିଶା ଯୋଜନାକୁ ନା କହିବାକୁ ନେଇ ସେ ସିଧାସଳଖ ଅାକ୍ଷେପ କରିଥିଲେ।

ନବୀନ ବାବୁ କାହିଁକି ବୁଝିପାରୁନାହାନ୍ତି ମୁଁ ବୁଝିପାରୁନିବୋଲି ମୋଦି କହିଥିଲେ । ଓଡ଼ିଶାର ସ୍ୱାସ୍ଥ୍ୟସେବା କଥା କାହାକୁ ଅଛପା ନୁହେଁ।  ଏଥିରେ ସାମିଲ ହୋଇ ଗରିବ ଲୋକଙ୍କୁ ନବୀନ ଲାଭ ଦିଅନ୍ତୁ ବୋଲି ମୋଦି ଅାହ୍ୱାନ ଦେଇଥିଲେ।

ସେପଟେ ମୋଦିଙ୍କ ଅାକ୍ଷେପର ପ୍ରତିକ୍ରିୟା ରଖିଛି ବିଜେଡି। ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଅାୟୁଷ୍ମାନ ଭାରତ ଯୋଜନା ଠାରୁ ଯଥେଷ୍ଟ ଭଲ ବୋଲି କହିଛନ୍ତି ଦଳୀୟ ମୁଖପାତ୍ର ଅରୁଣ ସାହୁ । ଅାଗାମୀ ଦିନରେ ଏହାକୁ ମଡେଲ ଭାବେ ଗ୍ରହଣ କରାଯିବ ବୋଲି ସେ ଦୃଢୋକ୍ତି କରିଛନ୍ତି।

 

 

You might also like