ରାଜ୍ୟ ସରକାରଙ୍କୁ ମୋଦିଙ୍କ ଟାର୍ଗେଟ୍‌ ପରେ ପଦାକୁ ଆସିଲା ଡିଏମ୍ଏଫ୍‌ର ବାସ୍ତବ ଚିତ୍ର

ଆଦାୟ ୫ ହଜାର ୫୯୯ କୋଟି ଟଙ୍କା, ଖର୍ଚ୍ଚ ମାତ୍ର ୮୮୫ କୋଟି

ଭୁବନେଶ୍ୱର: କୋଟି କୋଟି ଟଙ୍କା ପଡ଼ିରହିଛି, ହେଲେ ଖର୍ଚ୍ଚ କରିପାରୁନାହାନ୍ତି ରାଜ୍ୟ ସରକାର। ଖଣି-ଖାଦାନ ଜିଲ୍ଲାର ବିକାଶ ପାଇଁ ଉଦ୍ଦିଷ୍ଟ ଡିଷ୍ଟ୍ରିକ୍ଟ ମିନେରାଲ୍ ଫାଉଣ୍ଡେସନ୍ ବା ଡିଏମ୍ଏଫ୍‌ରେ କୋଟି କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଡିଏମ୍ଏଫ୍ ପାଣ୍ଠି ଖର୍ଚ୍ଚରେ ସ୍ଥାଣୁତା ନେଇ ବଲାଙ୍ଗିରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗମନାଗମନର ସୁବିଧା ନାହିଁ। ଯେଉଁଠି ରାସ୍ତା ଅଛି, ତାହା ଖାଲଖମାରେ ଭରା। ସୁନ୍ଦରଗଡ଼ି ଜିଲ୍ଲାରେ ୨୧୫ ନମ୍ବର ଜାତୀୟ ରାଜପଥ ଯାଇଥିବା ବରସୁଆଁ, କୋଇଡ଼ା ଓ ଚୂନାଘାଟି ଅଞ୍ଚଳର ପିଇବା ପାଣିର ବି ଘୋର ଅଭାବ।

ଜିଲ୍ଲାର ବିକାଶ ପାଇଁ ଡିଏମ୍ଏଫ୍ ରେ ପ୍ରାୟ ୧୨ଶହ କୋଟି ଟଙ୍କା ଅଛି। ସେଥିମଧ୍ୟରୁ ୨୫୦ କୋଟି ଖର୍ଚ୍ଚ ହୋଇଛି। କେବଳ ଏ ଗୋଟିଏ ଜିଲ୍ଲା ନୁହେଁ, ଅନୁଗୁଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମୟୁରଭଞ୍ଜ,ରାୟଗଡ଼ା ଭଳି ୮ଟି ଜିଲ୍ଲାରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି।

ଡିଏମ୍ଏଫ୍ କୁ ନେଇ ଡିସେମ୍ବର ୨୭ ତାରିଖରେ ଲୋକସଭାରେ କେନ୍ଦ୍ର ଖଣି ମନ୍ତ୍ରୀ ଦେଇଥିବା ଉତ୍ତରରେ ଦର୍ଶାଯାଇଛି ଯେ ଗତ ଅକ୍ଟୋବର ଶେଷ ସୁଦ୍ଧା ଦେଶରେ ଡିଏମ୍ଏଫ୍ ବାବଦକୁ ଓଡ଼ିଶାରେ ସର୍ବାଧିକ ୫ ହଜାର ୫୯୯ କୋଟି  ୫୧ ଲକ୍ଷ ସଂଗ୍ରହ କରଯାଇଛି। ହେଲେ ଖର୍ଚ୍ଚ ହୋଇଛି ମାତ୍ର ୮୮୫ କୋଟି ୩୮ ଲକ୍ଷ ଟଙ୍କା।

ଡିଏମ୍ଏଫ୍ ଅର୍ଥରେ ରାଜ୍ୟ ସରକାର ୬ ହଜାର ୪୩୮ କୋଟିର ୧୧ ହଜାର ୪୩୪ଟି ପ୍ରକଳ୍ପ ହାତକୁ ନେଇଛନ୍ତି। ସେହିଭଳି ଜିଲ୍ଲାଓ୍ୱାରୀ ତାଲିକାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଭିତ୍ତିଭୂମି, ଜଳସେଚନ, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ଦକ୍ଷତା ବିକାଶ ଭଳି ଅତି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏହି ଟଙ୍କା ଖର୍ଚ୍ଚ ହେବ। ହେଲେ ଏନେଇ ରାଜ୍ୟ ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାହା ଉଲ୍ଲେଖ ନାହିଁ। ଅନ୍ୟପଟେ ରାଜ୍ୟ ସରକାର ଡିଏମ୍ଏଫ୍ ଟଙ୍କା ଖର୍ଚ୍ଚ କରିପାରୁନଥିବା ନେଇ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ। ତେବେ ଜବାବରେ ବିଜେଡି କହିଛି, ଗାଇଡଲାଇନସ୍ ଅନୁସାରେ ଅର୍ଥ ଖର୍ଚ୍ଚ ହେଉଛି।

କେନ୍ଦ୍ର ସରକାର ଅର୍ଥ ଦେଉନାହାଁନ୍ତି ଓ ଅନୁଦାନ ହ୍ରାସ କରୁଛନ୍ତି ବୋଲି ରାଜ୍ୟ ସରକାର ସବୁବେଳେ ଅଭିଯୋଗ କରିଆସୁଛନ୍ତି। ଅନ୍ୟପଟେ ଡିଏମ୍ଏଫ୍‌ରେ ଥିବା ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିପାରୁ ନାହାଁନ୍ତି। ଯାହାକୁ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରସଙ୍ଗ କରିଛନ୍ତି।

You might also like