ଓଡ଼ିଶା ମାଟିରେ ନିର୍ବାଚନୀ ବିଗୁଲ ଫୁଙ୍କିଲେ ମୋଦି

ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ସାଧାରଣ ନିର୍ବାଚନର ବିଗୁଲ ଫୁଙ୍କିଛନ୍ତି। ଏହି ସଂକ୍ଷିପ୍ତ ଗସ୍ତ ଅବସରରେ ମୋଦି ଓଡ଼ିଶାରେ ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହାସହ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା ଓ ଡାକ ଟିକେଟ୍‌ ଜାରି କରିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଚେୟାରର ଶୁଭାରମ୍ଭ କରିଛନ୍ତି। ଏହାସହ କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ସମ୍ପୂର୍ଣ୍ଣ ସମର୍ପିତ କହି ବିଜେପିକୁ ବିଜୟୀ କରାଇବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

ନିର୍ଦ୍ଧାରିତ ସମୟର ୧୦ ମିନିଟ୍‌ ପୂର୍ବରୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରୁ ହେଲିକପ୍ଟର ଯୋଗେ ସିଧାସଳଖ ଆଇଆଇଟି ଭୁବନେଶ୍ୱର ଯାଇ ୧ ହଜାର ୨୬୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଆଇଟି ଭୁବନେଶ୍ୱରକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ। ଏଠାରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଟ୍ ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଥିଲେ। ଏଥିରେ ରହିଛି ୪ ହଜାର ୩୬୧ କୋଟି ଟଙ୍କା ବିନିଯୋଗରେ NH-16ର ଚଣ୍ଡୀଖୋଲ-ଭଦ୍ରକ ସେକ୍ସନକୁ ସିକ୍ସ ଲେନ୍ ବିଶିଷ୍ଟ କରିବା, କଟକ-ଅନୁଗୁଳ ସେକ୍ସନର ଫୋର୍ ଲେନ୍‌କରଣ, ଟାଙ୍ଗୀ-ପୁଇଁତଳା ସେକ୍ସନ୍‌ର ଶିଳାନ୍ୟାସ ଓ ଖଣ୍ଡିଗିରି ଫ୍ଲାଏ ଓଭର, ଭୁବନେଶ୍ୱରରେ ଥିବା ESI ହସ୍ପିଟାଲ ବେଡ୍ ସଂଖ୍ୟା ଶହେକୁ ବୃଦ୍ଧି ଏବଂ ଲଳିତଗିରି ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟକୁ ବି ଲୋକାର୍ପଣ କରିଥିଲେ। ପ୍ରାୟ ୧୬ ଶହ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଆଇଜର୍ କ୍ୟାମ୍ପସ୍, ପାରାଦ୍ୱୀପ-ହାଇଦ୍ରାବାଦ୍ ମଧ୍ୟରେ ଉତ୍ପାଦ ପାଇପ୍‌ଲାଇନ୍‌ ଏବଂ ବୋକାରୋ-ଅନୁଗୁଳ ମଧ୍ୟରେ ଗ୍ୟାସ୍ ପାଇପ୍ ଲାଇନ୍ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ  ପାଇକ ବିଦ୍ରୋହ ସ୍ମାରକୀ ଡାକ ଟିକେଟ ଓ ମୁଦ୍ରା ଉନ୍ମୋଚନ କରିଥିଲେ।  ଏହାସହ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଚେୟାର ବି ଶୁଭାରମ୍ଭ କରିଥିଲେ।

କେନ୍ଦ୍ର ସରକାର କେବଳ ଓଡ଼ିଶା ନୂହେଁ, ପୂର୍ବ ଭାରତର ବିକାଶ ପାଇଁ ସବୁବେଳେ ପ୍ରସ୍ତୁତ ଓ ଏଥିପାଇଁ ବିଭିନ୍ନ ଯୋଜନା ହାତକୁ ନେଇଥିବା ମୋଦି କହିଥିଲେ। ଖାଲି ସେତିକି ନୁହେଁ, ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ପଛରେ ପଡ଼ିଥିବା ଓ ପିସି ଏବଂ ଚିଟ୍‌ଫଣ୍ଡ ଭଳି ସମସ୍ୟା କଥା ଉଠାଇ ପରୋକ୍ଷରେ ନବୀନ ସରକାରଙ୍କୁ ଟାର୍ଗେଟ କରିବା ସହ ବିଜେପିକୁ ଭୋଟ ଦେଇ କ୍ଷମତାକୁ ଆଣିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ।

You might also like