୨୨ରେ ମୋଦି, ୨୪ରେ ଓଡ଼ିଶା ଅାସିବେ ଶାହା

ବିଜେପିର ମିଶନ୍ ୧୨୦ ଲକ୍ଷ୍ୟ ହାସଲ ସହ ମହିଳା ଭୋଟ୍ ହାତେଇବାକୁ ପ୍ରସ୍ତୁତି

ଭୁବନେଶ୍ୱର :୨୨ରେ ଝାରସୁଗୁଡ଼ା ଅାସିବେ ପ୍ରଧାନମନ୍ତ୍ରୀ ମୋଦି, ଅାଉ ୨୪ରେ ପୁରୀ ଅାସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ୨ ଦିନ ଗ୍ୟାପ୍‌ରେ ଓଡ଼ିଶାକୁ ଦୁଇ ଦୁଇ ଜଣ ହେଭିୱେଟ୍‌ଙ୍କ ଗସ୍ତକୁ ନେଇ ବେଶ୍ ଚଳଚଞ୍ଚଳ ରାଜ୍ୟ ବିଜେପି କ୍ୟାମ୍ପ। ନିକଟରେ ଦିଲ୍ଲୀରେ ଦଳର ଜାତୀୟ କାର୍ଯ୍ୟକାରିଣୀରେ ଓଡ଼ିଶା ସଂଗଠନ ନେଇ ଅାଲୋଚନା ପରେ ଫୋକସ୍‌ରେ ଯେ ଓଡ଼ିଶା ରହିଛି, ତାହା ସ୍ପଷ୍ଟ ହୋଇଥିଲା।

ଅଧିକାଂଶ ରାଜ୍ୟରେ ସଫଳତା ପରେ ଓଡ଼ିଶାରେ ମିଶନ ୧୨୦ ପ୍ଲସ୍‌କୁ କିଭଳି କାର୍ଯ୍ୟକାରୀ କରାଯିବ ସେ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଦଳ। ସେଥିପାଇଁ କାର୍ଯ୍ୟକାରିଣୀ ପରେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଓଡ଼ିଶା ଓ ବେଙ୍ଗଲ ହିଁ ବିଜେପିର ଫୋକସ୍ ବୋଲି କହିଥିଲେ।

ସେପ୍ଟେମ୍ବର ୨୨ରେ ଝାରସୁଗୁଡ଼ା ବିମାନବନ୍ଦରର ଲୋକାର୍ପଣ ଉତ୍ସବ ସାଙ୍ଗକୁ ସେହିଦିନ ତାଳଚେର ସାର କାରଖାନାର ପୁନଃରୁଦ୍ଧାର ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି। ହେଲେ ତା ପରଦିନଠାରୁ ପୁରୀରେ ଅାରମ୍ଭ ହେବାକୁ ଥିବା ବିଜେପି ମହିଳା ମୋର୍ଚ୍ଚାର ୩ ଦିନିଅା ରାଷ୍ଟ୍ରୀୟ କାର୍ଯ୍ୟ ସମିତିକୁ ଅାସିବେ ଅମିତ ଶାହା।

ଫୋକସ୍‌ରେ ରହିଛି ମହିଳା ଭୋଟ୍। କୁହାଯାଉଛି ବଲାଙ୍ଗିରରେ ଯୁବକଙ୍କୁ ଗୁରୁ ମନ୍ତ୍ର ଦେବା ପରେ ଏବେ ପୁରୀରେ ମହିଳାଙ୍କୁ ବି ମନ୍ତ୍ର ଦେବେ ଶାହା। ତେବେ ବିଜେଡି ମଧ୍ୟ ପୂର୍ବରୁ ସବୁ ନିର୍ବାଚନ ମଣ୍ଡଳୀରେ ମହିଳା ସମାବେଶ କରିବ ବୋଲି ଘୋଷଣା କରିଥିଲାବେଳେ କଂଗ୍ରେସ ବି ମହିଳାଙ୍କୁ ଧରି ଅାକ୍ରୋଶ ଯାତ୍ରା କରିବାକୁ ଘୋଷଣା କରିସାରିଛି। ତେଣୁ ଶାହାଙ୍କ ଷ୍ଟ୍ରାଟେଜି ଓଡ଼ିଶାର ମହିଳାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଉଭୟ କଂଗ୍ରେସ ଓ ବିଜେଡି।

ନିର୍ବାଚନୀ ମାହୋଲ୍ ଭିତରେ ଦଳର ଶୀର୍ଷ ନେତୃତ୍ୱଙ୍କ ଗସ୍ତ ରାଜ୍ୟ ବିଜେପି କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିବା ବେଳେ ସଂଗଠନ ସୁଦୃଢ଼ ସହ ମିଶନ୍ ହାସଲରେ ଏହା କେତେ ସାହାଯ୍ୟ କରୁଛି, ତା ଉପରେ ନଜର।

You might also like