ଜୀବନ ସଂଘର୍ଷର କାହାଣୀ କହିବ ‘ମୋ ଜୀବନ, ମୋ ଉପାସନା’

ଭୁବନେଶ୍ୱର: ‘ମୋ ଜୀବନ, ମୋ ଉପାସନା’ରେ ରହିଛି ଜୀବନ ସଂଘର୍ଷର କାହାଣୀ। ସେହି ସଂଘର୍ଷ ନିରନ୍ନ, ନିରକ୍ଷର, ନିଷ୍ପେଷିତ ଆଦିବାସୀଙ୍କର। ଏମାନଙ୍କ ଅଧିକାର ପାଇଁ ଲଢୁଥିବା ଜଣେ ଦୁର୍ଦ୍ଦର୍ଷ ଯୋଦ୍ଧାର। ରାଜଭବନଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ‌୍‍ଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ଓଡ଼ିଶାର ବର୍ଷିାୟାନ ଭୁଦାନ ଓ ସର୍ବୋଦୟ ନେତା, ବିଶିଷ୍ଟ ଶିକ୍ଷାବିତ‌୍‍ ତଥା କବି କୃଷ୍ଣ ସିଂହଙ୍କ ଦ୍ୱାରା ପ୍ରକାଶିତ ଆତ୍ମ ଜୀବନୀ  ‘ମୋ ଜୀବନ ମୋ ଉପାସନା’ ର ଦ୍ୱିତୀୟ ସଂକଳନ ।

ଏହି ଅବସରରେ ରାଜ୍ୟପାଳ ଗଣେଶୀଲାଲ   କୃଷ୍ଣ ସିଂହ ସଂଘର୍ଷମୟ ଜୀବନ ଉପରେ ଆଲୋକପାତ କରି କହିଥିଲେ, ସନ୍ଥ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନ ସମଗ୍ର ଓଡ଼ିଶା ବିଶେଷକରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଗଭୀର ପ୍ରଭାବ ପକାଇଥିଲା। କୃଷ୍ଣ ସିଂହଙ୍କ ପରି ଉଦୀୟମାନ ଯୁବକ ଏହି ସଂଗ୍ରାମରେ ଝାସ ଦେଇ ନିଷ୍ପେସିତ, ନିରନ୍ନ ଓ ନିରକ୍ଷର ମଣିଷମାନଙ୍କ ଅଧିକାର ପାଇଁ ଲଢାଇରେ ସମଗ୍ର ଜୀବନ ବିତାଇ ଦେଇଛନ୍ତି। ମହାତ୍ମା ଗାନ୍ଧୀ ଓ ବିନୋବାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶ୍ରୀ ସିଂହ କୋରାପୁଟରେ ଭୁଦାନ, ସର୍ବୋଦୟ ଓ ବୈଦ୍ଧିକ ଆନ୍ଦୋଳନର ଏକ ଯୁଗ ସୃଷ୍ଟି କରିଛନ୍ତି।

ଏହି ଉନ୍ମୋଚନ ଉତ୍ସବରେ ସମ୍ୱାଦର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଯୋଗ ଦେଇ କହିଥିଲେ  ଆଦିବାସୀ ଅଧ୍ୟୁଷିତ କୋରାପୁଟ ଅଞ୍ଚଳରେ ଭୂଦାନ ଓ ସର୍ବୋଦୟ ଆନ୍ଦୋଳନ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ଯାହାର ନେତୃତ୍ୱ ନେଇ କୋରାପୁଟରେ ଆଦିବାସୀଙ୍କୁ ତାଙ୍କ ଅଧିକାର ଫେରାଇ ଦେବା ପାଇଁ ମହାସଂଗ୍ରାମ କରିଥିଲେ ଦୁର୍ଦ୍ଦର୍ଷ ସଂଗ୍ରାମୀ କୃଷ୍ଣ ସିଂହ। ତାଙ୍କ ସ୍ୱଲିଖିତ ତଥା ଆମ ଓଡ଼ିଶା ଦ୍ୱାରା ପ୍ରକାଶିତ ଆତ୍ମଜୀବନୀ ପୁସ୍ତକ ମୋ ଜୀବନ ମୋ ଉପାସନା ଏହି ମହାନ‌୍‍ ସଂଗ୍ରାମର ଗାଥା ଆମକୁ ସର୍ବଦା ସ୍ମରଣ କରାଇଦେବ।

ଅନ୍ୟତମ ଅତିଥିଭାବେ ଯୋଗ ଦେଇ ପ୍ରଖ୍ୟାତ କବି, ସ୍ତମ୍ଭକାର ହରପ୍ରସାଦ ଦାସ  କୃଷ୍ଣ ସିଂହଙ୍କୁ କୋରାପୁଟ୍‌ର ଗାନ୍ଧି ବୋଲି ଅଭିହିତ କରିଥିଲେ। କୃଷ୍ଣ ସିଂହ ଓଡ଼ିଆ ଜାତିକୁ ଯେଉଁ ସଂଘର୍ଷ ଓ ସମ୍ଭାବନାର ବାର୍ତ୍ତା ଦେଇ ଯାଇଛନ୍ତି, ଓଡ଼ିଆ ବାଣୀ ଭଣ୍ଡାରକୁ ଯେଉଁ କାବ୍ୟ, କବିତାର ସମ୍ଭାର ଉପହାର ଦେଇଯାଇଛନ୍ତି ତାହା ଆମର ଚିର ସ୍ମରଣୀୟ ହୋଇ ରହିବ ଏବଂ ଆଗାମୀ ପୀଢିକୁ ପଥ ପ୍ରଦର୍ଶନ କରୁଥିବ।

ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ କଥାକାର ଓ ଔପନ୍ୟାସିକ କୃପାସାଗର ସାହୁ, ପୌରୁଷର ସମ୍ପାଦକ ତଥା ପ୍ରାବନ୍ଧିକ ଅସିତ ମହାନ୍ତି, ଆମ ଓଡ଼ିଶାର ସମ୍ପାଦକ ସ୍ୱରାଜ ମିଶ୍ର, ବିଶିଷ୍ଟ କବି ତଥା ପୂର୍ବତଟ ରେଳପଥର ବରିଷ୍ଠ ଜନସମ୍ପର୍କ ଅଧିକାରୀ ନିରାକାର ଦାସ, ଏଚଡିଏଫ୍‌ସି ବ୍ୟାଙ୍କ ଚେନ୍ନାଇର ଡେପୁଟି ଭାଇସ ପ୍ରେସିଡେଣ୍ଟ ଲୋପାମୁଦ୍ରା ସିଂହ ଓ ଅନାହିତା ଝା ପ୍ରମୁଖ ଉପସ୍ଥିତ ରହି ପୁସ୍ତକ ଉନ୍ମୋଚନ କରିଥିଲେ।

 

 

You might also like