ଆଜିଠୁ ଚାଲିବ ମୋ ବସ୍
ଭୁବନେଶ୍ୱର: ଆଜିଠୁ ପୁଣି ଚଳାଚଳ କରିବ ‘ମୋ ବସ୍’’। ଭୁବନେଶ୍ୱର-କଟକ-ଖୋର୍ଦ୍ଧା-ପିପିଲିର ୮ଟି ରୁଟ୍ରେ ଏହି ବସ୍ ଚଳାଚଳ କରିବ। ନନ୍ ଏସି ବସ୍ଗୁଡ଼ିକ ଚାଲିବ।
ଯେଉଁ ରୁଟ୍ଗୁଡ଼ିକରେ ମୋ ବସ୍ ଚାଲିବ ସେଗୁଡ଼ିକ ହେଲା- ୧୧ ନମ୍ବର ନନ୍ଦନ ବିହାର-ଲିଙ୍ଗିପୁର, ୧୬ ନମ୍ବର ମାଷ୍ଟର କ୍ୟାଣ୍ଟିନରୁ କଟକ ବିଜୁ ପଟ୍ଟନାୟକ ପାର୍କ, ୧୮ ନମ୍ବର-ବରମୁଣ୍ଡାରୁ ଜଗତପୁର, ୨୦ ନମ୍ବର-ମାଷ୍ଟର କ୍ୟାଣ୍ଟିନରୁ ଖୋର୍ଦ୍ଧା ଭାୟା ବାଣୀବିହାର, ୨୩ ନମ୍ବର-ମାଷ୍ଟର କ୍ୟାଣ୍ଟିନରୁ ସମ୍ ହସ୍ପିଟାଲ, ୨୫ ନମ୍ବର ଡୁମଡୁମାରୁ ମଞ୍ଚେଶ୍ୱର, ୨୭ ନମ୍ବର ମାଷ୍ଟର କ୍ୟାଣ୍ଟିନରୁ ଏମ୍ସ, ୩୩ ନମ୍ବର ମାଷ୍ଟର କ୍ୟାଣ୍ଟିନରୁ ପିପିଲି ପର୍ଯ୍ୟନ୍ତ ମୋ ବସ୍ ଚାଲିବ।
ସକାଳ ୭ଟାରୁ ସଂଧ୍ୟା ୭ଟା ମଧ୍ୟରେ ମୋ ବସ୍ ଚଳାଚଳ କରିବ। ଅଗଷ୍ଟ ମାସ ସାରା କିନ୍ତୁ ଶନିବାର ଓ ରବିବାର ମୋ ବସ୍ ବନ୍ଦ ରହିବ ବୋଲି CRUT ପକ୍ଷରୁ ସୂଚନା ଦିଆଯାଇଛି।
ସେହିଭଳି ରାଜ୍ୟରେ ହୋଟେଲ୍ ଓ ରେଷ୍ଟ୍ରୁରାଣ୍ଟ ଖୋଲିବା ନେଇ ମଧ୍ୟ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ରାସ୍ତା କଡ଼ରେ ଥିବା ଢାବା ବି ଖୋଲିବ। ତେବେ ଏଥିପାଇଁ କିଛି ସର୍ତ୍ତ ରଖିଛନ୍ତି ସରକାର।
ସର୍ତ୍ତଅନୁସାରେ, ହୋଟେଲରେ ଥିବା ରେଷ୍ଟୁରାଣ୍ଟ କେବଳ ଇନ୍-ହାଉସ୍ ଅତିଥିଙ୍କ ପାଇଁ ଖୋଲିବ। ଅନ୍ୟ ରେଷ୍ଟୁରାଣ୍ଟ ଓ ହୋଟେଲ ଚାଲିପାରିବ। କିନ୍ତୁ ସେଠାରେ ବସି ଖାଇହେବ ନାହିଁ। ସେମାନେ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ।
ରେଷ୍ଟୁରାଣ୍ଟରୁ ହୋମ୍ ଡେଲିଭରି କିମ୍ବା ଖାଦ୍ୟ ପାର୍ସଲ ନିଆଯାଇପାରିବ। ରାସ୍ତା କଡ଼ରେ ଥିବା ଢାବା ମଧ୍ୟ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ ବୋଲି ରାଜ୍ୟ ସରକାର ସର୍ତ୍ତ ରଖିଛନ୍ତି।
ପ୍ରକାଶ ଥାଉକି, ଗତ ଶନିବାର ଭୁବନେଶ୍ୱର ମହାନଗର ନିଗମ ରାଜଧାନୀରେ ସପିଂ ମଲ୍ ଖୋଲିବାକୁ ସର୍ତ୍ତ ଅନୁସାରେ ଅନୁମତି ଦେଇଥିଲା।