‘ମୋ ବସ୍‌’ ଯୋଗାଉଛି ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଘୋଷଣା ହୋଇଥିବା କଣ୍ଟେନମେଣ୍ଟ ଜୋନରେ ଲୋକଙ୍କୁ ଅତ୍ୟବାଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି। ରାଜଧାନୀ ଅଞ୍ଚଳ ସହରାଞ୍ଚଳ ପରିବହନ ପକ୍ଷରୁ ମୋ ବସ୍ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯୋଗାଇ ଦିଆଯାଇଛି।

ଭୁବନେଶ୍ୱରରେ ୫ଟି କଣ୍ଟେନମେଣ୍ଟ ଜୋନ୍ ଥିବାବେଳେ ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବମିଖାଲ୍ ଓ ସୂର୍ଯ୍ୟନଗରରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଯାଇଛି। ସକାଳେ ମୋ ବସ୍‌ରେ ବିଭିନ୍ନ ବ୍ୟବସାୟୀଙ୍କୁ ନିଆଯାଇ କ୍ଷୀର, ପନିପରିବା, ଔଷଧ, ତେଜରାତି ସାମଗ୍ରୀ, ପ୍ୟାକେଜଡ୍ ଫୁଡ୍ ଭଳି ଦରକାର ଥିବା ସାମଗ୍ରୀ ଯୋଗାଯାଇଛି।

କଣ୍ଟେନମେଣ୍ଟ ଜୋନରେ ଥିବା ଲୋକମାନେ ସାମାଜିକ ଦୂରତା ରକ୍ଷା କରି ବ୍ୟବସାୟୀଙ୍କଠାରୁ ନିଜ ନିଜର ଦରକାର ଥିବା ସାମଗ୍ରୀ ନେଇଥିଲେ। ଗୋଟିଏ ପରେ ଗୋଟିଏ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଭୁବନେଶ୍ୱରର ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା।

ଫଳରେ ସଂପୃକ୍ତ ଅଞ୍ଚଳରୁ ପ୍ରସ୍ଥାନ ଓ ପ୍ରବେଶ ସଂପୂର୍ଣ୍ଣ ବନ୍ଦ ହୋଇଥିଲା। ଏହାଯୋଗୁଁ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଇବାରେ କଷ୍ଟ ଭୋଗୁଥିଲେ। ଏହାକୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

You might also like