ରାଜ୍ୟରେ ଗଠନ ହେଲା ନୂଆ ବିଭାଗ ‘ମିଶନ୍ ଶକ୍ତି’

ଭୁବନେଶ୍ୱର: ୨୦୦୧ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମକୁ ୨୦ ବର୍ଷ ପରେ ସ୍ୱତନ୍ତ୍ର ବିଭାଗରେ ପରିଣତ କରାଯାଇଛି। ୨୦୧୭ରେ ଗଠନ ହୋଇଥିବା ମିଶନ ଶକ୍ତି ନିର୍ଦ୍ଦେଶାଳୟ ମଧ୍ୟ ଏହି ବିଭାଗ ଅଧିନରେ ରହିବ। ଏହାଛଡ଼ା ବିଭିନ୍ନ ବିଭାଗ ଅଧିନରେ ଥିବା SHGକୁ ମିଶନ ଶକ୍ତି ବିଭାଗକୁ ଅଣାଯାଇଛି। ଭିନ୍ନ ଭିନ୍ନ ବିଭାଗ ଯୋଗୁ ସୃଷ୍ଟି ହେଉଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଗୋଟିଏ ଛାତ ତଳକୁ ଅଣାଯାଇଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ରାଜ୍ୟ ସରକାରଙ୍କ ନୂଆ ବିଭାଗକୁ ନେଇ ତେଜିଛି ରାଜନୀତି। ମହିଳାଙ୍କ ନାଁରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ବୈତରଣୀ ପାର ହେବାକୁ ଏହା ଶାସକ ଦଳର ପ୍ରୟାସ ବୋଲି କଂଗ୍ରେସ୍ କହିଛି। ସେହିପରି ମିଶନ ଶକ୍ତି କାର୍ଯ୍ୟକ୍ରମକୁ ବିଭାଗରେ ପରିଣତ କରିବାକୁ କାହିଁକି ୨୦ ବର୍ଷ ଲାଗିଲା ବୋଲି ବିଜେପି ପ୍ରଶ୍ନ କରିଛି। ଏଥିରୁ ମହିଳାଙ୍କ ପ୍ରତି ରାଜ୍ୟ ସରକାର କେତେ ଯତ୍ନବାନ ଜଣାପଡ଼ୁଛି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।  ବିରୋଧୀଙ୍କ ଅଭିଯୋଗର ବିଜେଡି ଜବାବ ରଖିଛି। ସଂସଦରେ ବିଜେଡିର ମହିଳା ସଂରକ୍ଷଣ କାର୍ଡ ପରେ ଏବେ ମିଶନ ଶକ୍ତି ବିଭାଗ ଗଠନ ରାଜ୍ୟ ରାଜନୀତିକୁ ସରଗରମ କରିଛି।

ଏମାନେ କଣ ମିଶନ ଶକ୍ତି କରିବେ? ମୁଣ୍ଡ ଉପରେ ମ୍ୟୁନିସିପାଲିଟି ଭୋଟ୍, ସେଥିପାଇଁ ଏଭଳି ଘୋଷଣା କରିଛନ୍ତି। କେବଳ ଭୋଟ୍‌କୁ ଆଖି ଆଗରେ ରଖି ମିଶନ ଶକ୍ତି ନେଇଛନ୍ତି। ନାରୀଙ୍କ ନାଁ ନେଇ ପାରି ହେବାକୁ ବସିଛନ୍ତି।
-ସୁର ରାଉତରାୟ, କଂଗ୍ରେସ ବିଧାୟକ
୨୦୨୨ରେ ପଞ୍ଚାୟତ ନିର୍ବାଚନ ରହିଛି। ୨୦୦୧ରେ କାହିଁକି ହେଲା ନାହିଁ କାହିଁକି? ବର୍ତ୍ତମାନ ହେଲା କାହିଁକି? ସ୍ୱତନ୍ତ୍ର ବିଭାଗ କରିବା ପାଇଁ ୨୦ ବର୍ଷ ଲାଗିଗଲା। ଏହା କଣ ମହିଳାଙ୍କ ପାଇଁ ସମ୍ମାନ?
-ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ସାଂସଦ
ଗୋଟିଏ ବିଭାଗ ପ୍ରତି ଅଧିକ ଗୁରୁତ୍ୱ ରହିଲେ ତାକୁ ପରେ ସ୍ୱତନ୍ତ୍ର ବିଭାଗ କରାଯାଇଥାଏ। ମିଶନ ଶକ୍ତିକୁ ଫୋକସ୍‌ କରିବା ପାଇଁ ଏହାକୁ ସ୍ୱତନ୍ତ୍ର ବିଭାଗ ଦିଆଯାଇଛି। ମହିଳାଙ୍କ ବିକାଶ ଦେଖାଯାଉନି, କେବଳ ମହିଳାଙ୍କ ଭୋଟ୍‌ଟା ଦେଖାଯାଉଛି।
-ଶଶିଭୂଷଣ ବେହେରା, ବିଜେଡି ବିଧାୟକ

ଆହୁରି ପଢନ୍ତୁ:  ଦିବ୍ୟାଙ୍ଗ ହେଲେ ବି ସକ୍ଷମ: ୩୦ କି.ମି. ସାଇକେଲ ଚଳାଇ ବାଣ୍ଟନ୍ତି ଖବରକାଗଜ

You might also like