କଟା ହାତ ପରେ ଏବେ ମିଳିଲା କଟା ମୁଣ୍ଡ

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା କିରେଇ ପଞ୍ଚାୟତର ନିଖୋଜ ଗାଁ ସାଥୀ ରମେଶ ସିଂଙ୍କ କଟାମୁଣ୍ଡ ମିଳିଛି। ବୁଧବାରଠୁ ସେ ନିଖୋଜ ହେବା ପରଠୁ ତାଙ୍କ ଶରୀରର ବିଭିନ୍ନ ଅଂଶ ବିଭିନ୍ନ ସ୍ଥାନରୁ ମିଳିବାରେ ଲାଗିଛି।

କାଲି କଟା ହାତ ଓ ଦେହର କିଛି ଅଂଶ ମିଳିଥିବା ବେଳେ ଆଜି ଭବାନୀପୁର ଶୀତଳଭଣ୍ଡାର ନିକଟ ପୋଖରୀରୁ କଟାମୁଣ୍ଡ ମିଳିଛି। ଏଥିସହ ଗୋଟିଏ ହାତ ଏବଂ ଗୋଟିଏ ଗୋଡ଼ ବି ମିଳିଛି। ଆଉ ଗୋଟିଏ ଗୋଡ଼ ଖୋଜା ଚାଲିଛି। ଏହାପୂର୍ବରୁ ଗତକାଲି ୧୦ ନମ୍ବର ରାଜ୍ୟ ରାଜପଥର ଟୋଲ୍‌ଗେଟ୍‌ ବାଇପାସ୍‌ ନିକଟ ଏକ ବିଲରୁ ରମେଶଙ୍କ କଟା ହାତ ଉଦ୍ଧାର କରାଯାଇଥିଲା।

ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍, ଡଗ୍ ସ୍କ୍ୱାଡ୍ ଓ ଟାଉନ ଥାନା ପୋଲିସ୍‌ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି। ଗୋଟିଏ ପଟେ ପୋଲିସ, ପୋଖରୀ ମଧ୍ୟରୁ ମୃତ ଶରୀରର ବିଭିନ୍ନ ଅଙ୍ଗ ଉଦ୍ଧାର ପାଇଁ ପାଣି ଶୁଖାଉଥିବା ବେଳେ ଅନ୍ୟପଟେ ଏହି ଘଟଣାରେ ଥାନାରେ ଅଟକ ଥିବା ଶାଶୂ ଓ ଜ୍ୱାଇଁଙ୍କ ଘରର ବିଭିନ୍ନ ସ୍ଥାନରେ ରକ୍ତ ପଡିଥିବା ଦେଖିବାକୁ ମିଳିଛି। ରମେଶଙ୍କୁ ଏହି ଘରେ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି କାଟି ପୋଖରୀରେ ଫୋପାଡି ଦିଆଯାଇଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁସାରେ, ଭବାନୀପୁରରେ ରମେଶଙ୍କ ଘର। ବୁଧବାର ଅପରାହ୍ଣ ପାଖାପାଖି ୩ଟା ସମୟରେ ରମେଶ ପଞ୍ଚାୟତ ଅଫିସରୁ ଘରକୁ ଫେରିଥିଲେ। ଏହାପରେ ସେ କିଛି ସମୟ ଘର ବାହାରେ ଜଣେ ଯୁବକଙ୍କ ସହ ଗପୁଥିବା ଦେଖିବାକୁ ମିଳିଥିଲା। ଶେଷ ଥର ପାଇଁ ସେଇ ଦିନ ସନ୍ଧ୍ୟା ୭ଟା ବେଳେ ରମେଶ, ବଡ଼ଭାଇଙ୍କ ସହ କଥା ହୋଇଥିଲେ ଓ ରାତିରେ ବିଳମ୍ବରେ ଘରକୁ ଫେରିବେ ବୋଲି କହିଥିଲେ। ହେଲେ ଘରକୁ ଆଉ ଫେରିନଥିଲେ। ଏପରିକି ତାଙ୍କ ଫୋନ୍‌ ମଧ୍ୟ ସ୍ୱିଚ୍‌ ଅଫ୍‌ ଆସିଥିଲା।

ସକାଳ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଗୁରୁବାର ଦିନ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଏହାପରେ ପୋଲିସ୍‌ ଖୋଜାଖୋଜି ଆରମ୍ଭ କରିଥିଲା।

You might also like