ବିଲରୁ ମିଳିଲା କଟା ହାତ, ପୋଖରୀରେ ଭାସୁଥିଲା ଶରୀର

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା କିରେଇ ପଞ୍ଚାୟତର ନିଖୋଜ ଗାଁ ସାଥୀ ରମେଶ ସିଂଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିବା ‌ଅଭିଯୋଗ ହୋଇଛି। ତାଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ବିଲ ଓ ପୋଖରୀରୁ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ଭବାନୀପୁରରେ ରମେଶଙ୍କ ଘର। ବୁଧବାର ଅପରାହ୍ଣ ପାଖାପାଖି ୩ଟା ସମୟରେ ରମେଶ ପଞ୍ଚାୟତ ଅଫିସରୁ ଘରକୁ ଫେରିଥିଲେ। ଏହାପରେ ସେ କିଛି ସମୟ ଘର ବାହାରେ ଜଣେ ଯୁବକଙ୍କ ସହ ଗପୁଥିବା ଦେଖିବାକୁ ମିଳିଥିଲା। ଶେଷ ଥର ପାଇଁ ସେଇ ଦିନ ସନ୍ଧ୍ୟା ୭ଟା ବେଳେ ରମେଶ, ବଡ଼ଭାଇଙ୍କ ସହ କଥା ହୋଇଥିଲେ ଓ ରାତିରେ ବିଳମ୍ବରେ ଘରକୁ ଫେରିବେ ବୋଲି କହିଥିଲେ। ହେଲେ ଘରକୁ ଆଉ ଫେରିନଥିଲେ। ଏପରିକି ତାଙ୍କ ଫୋନ୍‌ ମଧ୍ୟ ସ୍ୱିଚ୍‌ ଅଫ୍‌ ଆସିଥିଲା।

ସକାଳ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଗୁରୁବାର ଦିନ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଏହାପରେ ପୋଲିସ୍‌ ଖୋଜାଖୋଜି ଆରମ୍ଭ କରିଥିଲା। ଗତକାଲି ୧୦ ନମ୍ବର ରାଜ୍ୟ ରାଜପଥର ଟୋଲ୍‌ଗେଟ୍‌ ବାଇପାସ୍‌ ନିକଟ ଏକ ବିଲରୁ ରମେଶଙ୍କ କଟା ହାତ ଉଦ୍ଧାର କରାଯାଇଥିଲା। କଟା ହାତ ମିଳିବାର ଦୀର୍ଘ ୪ ଘଣ୍ଟା ପରେ ଭବାନୀପୁରରେ ନିର୍ମାଣାଧିନ ଶୀତଳଭଣ୍ଡାର ନିକଟ ଏକ ପୋଖରୀରେ ତାଙ୍କ ଶରୀର ଭାସୁଥିଲା। ହେଲେ ଶରୀରର ଗୋଡ଼, ହାତ ଓ ମୁଣ୍ଡ କିଛି ନଥିଲା। ବର୍ତ୍ତମାନ ସୁଦ୍ଧା ରମେଶଙ୍କର ଆଉ ଏକ ହାତ, ଗୋଡ଼ ଓ ମୁଣ୍ଡ ମିଳିପାରି ନାହିଁ।

ଘଟଣାସ୍ଥଳରେ ପହଞ୍ଚି ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ଘଟଣାର ଅନୁଧ୍ୟାନ କରିଛନ୍ତି। ଗତକାଲି ଅଗ୍ନିଶମ ବାହିନୀ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ରାତି ହୋଇଯିବାରୁ ବନ୍ଦ ରହିଥିବା ଖୋଜାଖୋଜି ଆଜି ପୁଣି ଚାଲିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ରମେଶଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

You might also like