ମିଳିଲା ନିଖୋଜ ବିର୍ଜୁ କୁଲୁଙ୍କ ପତ୍ତା

ତାଳଚେର: ଜାନୁଆରୀ ୨ରୁ ନିଖୋଜ ଥିବା ସୁନ୍ଦରଗଡ଼ ଜିଲ୍ଲାର ବିର୍ଜୁ କୁଲୁଙ୍କୁ ତାଳଚେରରୁ ଠାବ କରାଯାଇଥିବା ସୂଚନା ମିଳିଛି। ବିର୍ଜୁଙ୍କୁ ଠାବ ନେଇ ସୁନ୍ଦରଗଡ଼ ଏସ୍‌ପି ସୂଚନା ଦେଇଛନ୍ତି।

ପାକିସ୍ତାନରେ ଦୀର୍ଘ ୨୦ ବର୍ଷ ଧରି ବନ୍ଦୀ ଜୀବନ କାଟି ମୁକ୍ତ ହେବା ପରେ ନଭେମ୍ବର ୧୨ ତାରିଖରେ ଭିଟାମାଟିକୁ ଫେରିଥିଲେ ସୁନ୍ଦରଗଡ଼ ଜିଲ୍ଲାର ବିର୍ଜୁ କୁଲୁ। ପ୍ରଥମେ ତାଙ୍କୁ କୁତ୍ରା ବ୍ଲକକୁ ନିଆଯାଇଥିଲା। ସେଠାରେ ସେ ଜିଲ୍ଲା ପ୍ରଶାସନର ହେପାଜତରେ ରାତି କାଟିଥିଲେ। ତା ପର ଦିନ ଅର୍ଥାତ୍‌ ନଭେମ୍ବର ୧୩ ତାରିଖ ସକାଳେ ଏକ ଶୋଭାଯାତ୍ରାରେ ବିର୍ଜୁଙ୍କୁ ନିଜ ଗାଁ କୁତ୍ରା ବ୍ଲକର କଟଙ୍ଗକୁ ନିଆଯାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ସୂଚନା ଅନୁସାରେ,୨୫ ବର୍ଷ ପୂର୍ବରୁ ବିର୍ଜୁ ରାଞ୍ଚିର ଏକ ହୋଟେଲରେ କାମ କରୁଥିବା ବେଳେ ହଠାତ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ। ତେବେ ମାନସିକ ଅନଗ୍ରସର ଥିବା କାରଣରୁ ସେ ପାକିସ୍ତାନ ସୀମା ପାର୍‌ କରି ଯାଇଥିବା କୁହାଯାଇଥିଲା। ତାଙ୍କୁ ପାକିସ୍ତାନ ପୋଲିସ ଗିରଫ କରିବା ପରେ ସେ ୨୦ ବର୍ଷ ଜେଲ୍ ଦଣ୍ଡ ଭୋଗିଥିଲେ।

ଲାହୋର ଜେଲ୍‌ରେ ୨୦ ବର୍ଷ ରହିବା ପରେ ୨୦୨୦ ଅକ୍ଟୋବର ୨୬ ତାରିଖରେ ଜେଲ୍‌ରୁ ମୁକୁଳିଥିଲେ। ଗତ ୨୫ ବର୍ଷ ଧରି ବିର୍ଜୁ ନିଖୋଜ ହେବା ପରେ ଗତବର୍ଷ ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଗତ ଅକ୍ଟୋବର ୨୬ରେ ପାକିସ୍ତାନ ଜେଲରୁ ମୁକୁଳିବା ପରେ ବିର୍ଜୁଙ୍କୁ ପ୍ରଥମେ ପଞ୍ଜାବ ଅମୃତସରର ଏକ କୋଭିଡ୍ ସେଣ୍ଟରରେ ରଖାଯାଇଥିଲା। ସେଠାକୁ ଯାଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ତାଙ୍କୁ ଧରି ଏକ ସ୍ୱତନ୍ତ୍ର ଗାଡ଼ିରେ ସୁନ୍ଦରଗଡ଼ ଆସିଥିଲା। ବିର୍ଜୁଙ୍କ ବାପା-ମାଆ ନଥିବା ବେଳେ ଏକମାତ୍ର ଭଉଣୀ ଏବେ ରାଜଗାଙ୍ଗପୁରର କୁକୁଡ଼ା ଗାଁରେ ରହୁଛନ୍ତି।

You might also like