୮ ଘଣ୍ଟାରୁ ଅଧିକ ସମୟ ଯାଏ ହସ୍ପିଟାଲ୍‌ରେ ପଡ଼ି ରହିଲା କରୋନା ରୋଗୀଙ୍କ ମୃତଦେହ !

ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର କୋଭିଡ୍‌ ହସ୍ପିଟାଲରେ ଚରମ ଅବ୍ୟବସ୍ଥା ନେଇ ଅଭିଯୋଗ ହୋଇଛି। ହସ୍ପିଟାଲ୍‌ର ଆଇସିୟୁ ଭିତରେ ଚିକିତ୍ସାଧିନ ଅବସ୍ଥାରେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହେବାର ୮ ଘଣ୍ଟାରୁ ଅଧିକ ସମୟ ଯାଏ ଶବ ପଡ଼ି ରହିବା ନେଇ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ଆଇସିୟୁ ଭିତରେ ଥିବା କୌଣସି ଜଣେ ମହିଳା ଏହି ଭିଡିଓଟି ସୁଟିଂ କରିବା ସହ ଘଟଣାକୁ ନେଇ ଅଭିଯୋଗ କରିଛନ୍ତି।

ଭାଇରାଲ୍‌ ଭିଡିଓରେ ଶୁଣାଯାଉଥିବା ଜଣେ ମହିଳାଙ୍କ ସ୍ୱର ଅନୁସାରେ, ହସ୍ପିଟାଲ୍‌ ଆଇସିୟୁର ୧ ନମ୍ବର ବେଡ୍‌ରେ ଚିକିତ୍ସାଧିନ ଥିବା ଜଣେ ବ୍ୟକ୍ତିଙ୍କର ଗତକାଲି ଅପରାହ୍ଣ ଦିନ ୧ଟା ବେଳେ ମୃତ୍ୟୁ ହୋଇଥିଲା। ତେବେ ୮ ଘଣ୍ଟାରୁ ଅଧିକ ସମୟ ଯାଏ ଶବ ପଡ଼ି ରହିଥିଲେ ମଧ୍ୟ କେହି ଉଠାଇ ନଥିଲେ। ବରଂ ଶବ ପଡ଼ି ରହିଥିବାବେଳେ ହସ୍ପିଟାଲ କର୍ମଚାରୀ ଆସି ସେହି ଓ୍ୱାର୍ଡରେ ଥିବା ଅନ୍ୟ ରୋଗୀଙ୍କୁ ଡିନର ପାଇଁ ଖାଦ୍ୟ ପୁଡ଼ିଆ ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ବାରମ୍ବାର କହିବା ପରେ ଶେଷରେ ରାତି ସାଢ଼େ ୯ଟା ବେଳକୁ କର୍ମଚାରୀ ଆସି ଶବ ପ୍ୟାକିଂ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏହାସହ ହସ୍ପିଟାଲରେ ଅନ୍ୟ ଅବ୍ୟବସ୍ଥା ନେଇ ସମ୍ପୃକ୍ତ ମହିଳା ଜଣକ ଅଭିଯୋଗ କରୁଥିବା ଭାଇରାଲ୍‌ ଭିଡିଓରେ ଶୁଣିବାକୁ ମିଳୁଛି।

ଅନ୍ୟପକ୍ଷେ, ଘଟଣାକୁ ନେଇ ହସ୍ପିଟାଲ ମ୍ୟାନେଜର ରୂପସୀ ନାୟକ କହିଛନ୍ତି, ୧ ନମ୍ବର ବେଡ୍‌ରେ ପ୍ରାଣ ହରାଇଥିବା ରୋଗୀ ଜଣକ ହସ୍ପିଟାଲର ଜଣେ କର୍ମଚାରୀଙ୍କ ସ୍ୱାମୀ ଓ ସନ୍ଧ୍ୟା ୫ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ପ୍ୟାକିଂ ମେଟେରିଆଲ ପାଇଁ ଶବ ଉଠାଇବାରେ ବିଳମ୍ବ ହୋଇଥିଲା ବୋଲି ସେ କହିଛନ୍ତି। ଅନ୍ୟ ରୋଗୀ ଭୋକିଲା ଥିବାରୁ ଓ କେତେକଙ୍କୁ ଇନସୁଲିନ ଦେବାର ଥିବାରୁ ଡିନର ଦିଆଯାଇଥିଲା ବୋଲି ସେ କହିଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧ ହଜାର ୯୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୫୧୦ ନୂଆ ମାମଲା ସହ ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ଆକ୍ରାନ୍ତରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୧୬୧ରେ ପହଞ୍ଚିଛି।

You might also like