ଭୁବନେଶ୍ୱର ବିମାନବନ୍ଦରରେ ଅଘଟଣ: ତଦନ୍ତ ଆରମ୍ଭ, ଠିକାଦାର ଅଟକ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରର ନିର୍ମାଣାଧୀନ କୋଠାର ଛାତ ଭୁଶୁଡିବା ଘଟଣାର ପ୍ରାରମ୍ଭିକ ଯାଞ୍ଚ ଆରମ୍ଭ କରିଛି ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ(AAI)। ଗତକାଲି ରାତିରେ ବିମାନବନ୍ଦର ପରିସରରେ ଥିବା ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟି ଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି।

“ଏହି ଘଟଣାର ବୈଷୟିକ ଦିଗ ସମ୍ପର୍କରେ ତଦନ୍ତ କରାଯିବ। AAI ମୁଖ୍ୟାଳୟରେ ଏନେଇ ତଦନ୍ତ କମିଟି ଗଠନ କରାଯିବ। ଆଉ ଖୁବ୍‌ଶୀଘ୍ର କମିଟି ଭୁବନେଶ୍ୱର ଆସି ତଦନ୍ତ କରିବେ। ତେବେ ସମସ୍ତ ତଥ୍ୟ ପ୍ରମାଣ ଭିତ୍ତିରେ ଆମେ ପୁଲିସ୍‌ରେ ଅଭିଯୋଗ କରିବୁ” ବୋଲି କହିଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ।

ସେ ଆହୁରି କହିଛନ୍ତି, “ମୃତାହତଙ୍କୁ କ୍ଷତିପୂରଣ ଦେବା ଦାୟିତ୍ୱ ସମ୍ପୃକ୍ତ ଠିକାଦାର ସଂସ୍ଥାର”।

ଅନ୍ୟପକ୍ଷରେ ଏହି ଘଟଣାରେ ଠିକାଦାର ଦିଲୀପ ଖଟେଇଙ୍କୁ ପୁଲିସ୍‌ ଅଟକ ରଖିଛି। ତାଙ୍କୁ ପଚରାଉଚରା ଚାଲିଥିବା ଜଣାପଡ଼ିଛି। ତାଙ୍କୁ ପଚରାଉଚରା ଚାଲିଥିବା ନେଇ ଭୁବନେଶ୍ୱର ଡିପିସି ଅନୁପ ସାହୁ ସୂଚନା ଦେଇଛନ୍ତି।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏୟାରପୋର୍ଟ ପରିସରରେ ନିର୍ମାଣ କାର୍ଯ୍ୟ କରୁଥିବା ଦିଲୀପ କନ୍‌ଷ୍ଟ୍ରକ୍‌ସନ୍‌ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଦିଲୀପ ଖଟେଇ।

You might also like