ଦଶମ ପରୀକ୍ଷା ପୂର୍ବରୁ ଜାଳିଦେଲେ ଖାତାବହି

ରାୟଗଡ଼ା: ଛାତ୍ରୀଙ୍କ ମେଧାକୁ ଦେଖି ଡରି ଗଲେ କି ସ୍କୁଲ୍ ଶିକ୍ଷକ? ସେମାନଙ୍କ ପାଖରେ ଟ୍ୟୁସନ୍ ନହୋଇ ସେ କାଳେ ବୋର୍ଡ ପରୀକ୍ଷାରେ ଭଲ ରେଜଲ୍ଟ କରିଦେବ, ସେଥିପାଇଁ ଲୋକ ଲଗାଇ ପୋଡ଼ି ଦେଲେ କି ଛାତ୍ରୀର ସମସ୍ତ ଖାତା ଓ ବହିପତ୍ର? ଏମିତି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲୀ ଥାନା ଜେ.କେ.ପୁର ଗାଁରୁ ।

ଅଭିଯୋଗ ଅନୁସାରେ, ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ପଲକ ପ୍ରସାଦଙ୍କ ବାପା ମା’ ଘରେ ନଥିବା ବେଳେ ତିନି ଜଣ ଦୁର୍ବୃତ୍ତ ଘରେ ପଶି, ଛାତ୍ରୀଙ୍କ ବେକରେ ଛୁରୀ ଲଗାଇ ତାଙ୍କ ସମସ୍ତ ଖାତା ଓ ବହିପତ୍ର ଆଦି ପୋଡ଼ି ଦେଇଛନ୍ତି। ସେ ପାଇଥିବା ବିଭିନ୍ନ ଟ୍ରଫି ବି ଭାଙ୍ଗିଛନ୍ତି । ଏଥିସହ ଧମକ ଦେଇଛନ୍ତି ବୋର୍ଡ ପରୀକ୍ଷା ନଦେଇ ଓଡ଼ିଶା ଛାଡ଼ି ଚାଲିଯିବା ପାଇଁ ।

ବୋର୍ଡ ପରୀକ୍ଷାକୁ ଆଉ ମାତ୍ର କେଇ ଦିନ ବାକି ଥିବା ବେଳେ ସବୁ ବହିପତ୍ର ପୋଡ଼ିଯିବା ପରେ ପଲକ କଣ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ତାଙ୍କ ବାପାମାଆଙ୍କ ଅଭିଯୋଗ ଅନୁସାରେ, ସ୍କୁଲର କିଛି ଶିକ୍ଷକଙ୍କର ଏହା ପଛରେ ହାତ ରହିଛି। ପଲକଙ୍କୁ ସେମାନଙ୍କ ପାଖରେ ଟ୍ୟୁସନ୍ ଛାଡ଼ିବାକୁ ସେ ଗତ ୨-୩ ବର୍ଷ ହେଲା ବାଧ୍ୟ କରି ଆସୁଥିଲେ। ହେଲେ ପଲକ ସେମାନଙ୍କ ପାଖକୁ ଟ୍ୟୁସନ ଯାଉ ନ ଥିବାରୁ ବିଭିନ୍ନ ସମୟରେ ହଇରାଣ କରୁଥିଲେ । ପଲକଙ୍କ ବାପାଙ୍କ କହିବା ଅନୁଯାୟୀ ସେ ଏ ନେଇ ସ୍କୁଲର ପ୍ରିନ୍ସିପାଲଙ୍କୁ ଘଟଣା ସମ୍ପର୍କରେ ଅନେକ ଥର ଅବଗତ କରାଇଛି। ହେଲେ ସେ କିଛି ଶୁଣି ନାହାନ୍ତି।

ସେହିପରି ପଲକଙ୍କ ମା’ କହିଛନ୍ତି, ଝିଅକୁ ସେମାନେ ଅନେକ ଥର ମାରିଦେବାକୁ ଉଦ୍ୟମ କରିଛନ୍ତି। ଏପରିକି ସେମାନେ ଝିଅକୁ ପରୀକ୍ଷା ନ ଦେବାକୁ ବାଧ୍ୟ କରିଛନ୍ତି।

ଏବେ ସେଇ ରାଗରେ ଏପରି କାଣ୍ଡ ଘଟାଇଥିବା ପରିବାର ଲୋକେ ଅଭିଯୋଗ କିରଛନ୍ତି। ସେମାନଙ୍କର ଭୟ, କାଳେ ଟ୍ୟୁସନ ନପଢ଼ି ଛାତ୍ରୀଜଣକ ଭଲ ନମ୍ବର ରଖିଦେବେ। ସେଇ କାରଣରୁ ହିଁ  ସେମାନେ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ କରିଛନ୍ତି ।ଏନେଇ ଚାନ୍ଦିଲି ଥାନାରେ ଅଭିଯୋଗ ହେବା ପରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

You might also like