ବନ୍ଧୁ ସାଜି ଆସିଲେ, ମହିଳାଙ୍କୁ ହତ୍ୟା କରି ଲୁଟିଲେ

ପଟ୍ଟାମୁଣ୍ଡାଇ: ଫିଲ୍ମ ଷ୍ଟାଇଲ୍‌ରେ ଚୋରି ଆଉ ତା ପରେ ବୀଭତ୍ସ ହତ୍ୟାକାଣ୍ଡ। ବନ୍ଧୁର ପରିଚୟ ଦେଇ ମିଠା ଦେଲେ। ଆଉ ଘରେ କେହି ନଥିବାର ସୁଯୋଗ ନେଇ ଜଣେ ମହିଳାଙ୍କୁ ହତ୍ୟା କରି ଲୁଟିନେଲେ। ଏଭଳି ବିଭତ୍ସ ହତ୍ୟାକାଣ୍ଡ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି।

ଏମିତି ଥିଲା ଘଟଣାକ୍ରମ:-

ପଟ୍ଟାମୁଣ୍ଡାଇ ଥାନା ଅରଡ଼ପଲ୍ଲୀ ଗାଁରେ ଅମୂଲ୍ୟ ଜେନା (୬୨) ଜଣେ ଚାଷୀ। ପରିବାର କହିଲେ ସ୍ତ୍ରୀ ମିନତୀ, ଦୁଇ ପୁଅ ବିଶ୍ୱଜିତ ଓ ସତ୍ୟଜିତ। ଏବେ ଚାଷ କାମ ଚାଲିଥିବାରୁ ବାପ-ପୁଅ ବିଲକୁ କାମ କରିବାକୁ ଯାଇଥିଲେ। ଘରେ ୫୬ ବର୍ଷୀୟା ମିନତୀ ଏକା ଥିଲେ। ସ୍ୱାମୀ ଓ ପୁଅମାନଙ୍କ ଅନୁପସ୍ଥିତିରେ ଦୁଇ ଜଣ ଯୁବକ ଏକ ବାଇକ୍‌ରେ ଆସିଥିଲେ। ଆଉ ସାଥୀରେ ସେମାନେ ମିଠା ମଧ୍ୟ ଆଣିଥିଲେ। ମିନତୀଙ୍କୁ ମିଠା ଦେଇ ନିଜର ବନ୍ଧୁର ପରିଚୟ ଦେଇଥିଲେ। ହେଲେ ମିନତୀ ବୁଝିପାରିନଥିଲେ ଦୁର୍ବୃତ୍ତଙ୍କ ଚାଲ୍‌। ନିଜର ବୋଲି ଭାବି ନିଜ ଘରେ ଆଶ୍ରୟ ଦେଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ମିନତୀଙ୍କୁ ହତ୍ୟା କରି ବାକ୍ସରେ ଥିବା ଟଙ୍କା ଓ ଅଳଙ୍କାର ଲୁଟି ନେଇଥିଲେ। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ।

ତେବେ ଚିତ୍କାର ଶୁଣି ସାହିପଡ଼ିଶା ଅମୂଲ୍ୟଙ୍କୁ ଖବର ଦେଇଥିଲେ। ଖବର ପାଇଁ ଅମୂଲ୍ୟ ଓ ତାଙ୍କ ଦୁଇ ପୁଅ ଘରକୁ ଆସିଥିଲେ। ସେମାନେ ଆସିବା ପରେ ଘର ଭିତରେ ରକ୍ତାକ୍ତ ଅବସ୍ଥାରେ ମିନତୀ ପଡିଥିବା ଦେଖିଥିଲେ। ତାଙ୍କ ଶରୀର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି। ଏହାଛଡ଼ା ଘର ଭିତରେ ବାକ୍ସ ଭଙ୍ଗା ଯାଇଛି। ଲୁଟ୍‌ ଉଦ୍ଦେଶ୍ୟରେ ଏହି ମର୍ଡର ହୋଇଥିବା ସନ୍ଦେହ କରାଯାଉଛି।

ଏନେଇ ଅଭିଯୋଗ ହେବା ପରେ ପଟ୍ଟାମୁଣ୍ଡାଇ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ହତ୍ୟାକାରୀଙ୍କ ପାଖରେ ପହଞ୍ଚିପାରିନି।

You might also like