ନକଲି ବିଦ୍ୟୁତ୍ ବିଲ୍ ଦେଇ ଆଦିବାସୀଙ୍କଠୁ ଲୁଟିନେଲେ ଟଙ୍କା

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ପୁଣି ସାମ୍ନାକୁ ଆସିଛି ନକଲି ବିଦ୍ୟୁତ୍‌ ବିଲ୍ ସଂଗ୍ରହକାରୀଙ୍କ ଠକାମୀ। ନକଲି ବିଦ୍ୟୁତ୍ ବିଲ୍ ଦେଇ ଆଦିବାସୀଙ୍କଠାରୁ ୨ ହଜାର ଟଙ୍କା ଲେଖାଏ ଠକି ନେଇଛନ୍ତି ଦୁର୍ବୃତ୍ତ। ରେଢାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅନ୍ତର୍ଗତ ବଲାଟ ଗାଁରେ ଏହି ଘଟଣା ଘଟିଛି।

ବିଦ୍ୟୁତ୍‌ ବିଲ୍ ସଂଗ୍ରହ ପାଇଁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ବିଦ୍ୟୁତ୍‌ ସଂଗ୍ରହକାରୀ ରବିବାର ଦିନ ବଲାଟ ଗାଁକୁ ଯାଇଥିଲେ। ଏହାପରେ ଲୋକମାନେ ଠକାମିର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା।

ଗତ ଜାନୁଆରୀ ୨୪ରେ ୨ ଜଣ ଦୁର୍ବୃତ୍ତ ଗାଁକୁ ଆସି ଲୋକଙ୍କୁ ବିଦ୍ୟୁତ୍‌ ସଂଯୋଗ କାଟି ଦେବାର ଭୟ ଦେଖାଇ ନକଲି ବିଲ୍ ଦେଇ ଘର ପ୍ରତି ୨ ହଜାର ଟଙ୍କା ଲେଖାଏ ନେଇଥିଲେ। ସେହିପରି ଚଳିତମାସ ପ୍ରଥମ ସପ୍ତାହରେ ରେଢେଖୋଲ ଥାନା ଅଞ୍ଚଳର ଚାରବାଟୀ, କାଣ୍ଡତଇଲା ଅଞ୍ଚଳରୁ ମଧ୍ୟ ସମାନ ଢଙ୍ଗରେ ଠକେଇ ହୋଇଥିଲା।

ଏହି ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଥାନା ଅଭିଯୋଗ ହୋଇଛି। ଘଟଣାରେ ୨ଜଣ ଧରାପଡ଼ିଥିଲେ ଓ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଯେଉଁ ଅଞ୍ଚଳରେ ନେଟୱର୍କ ନାହିଁ, ସେହି ଅଞ୍ଚଳର ଲୋକଙ୍କୁ ଦୁର୍ବୃତ୍ତମାନେ ଟାର୍ଗେଟ୍‌ କରୁଛନ୍ତି। ଏନେଇ ଲୋକଙ୍କୁ ସଚେତନ କରାଇବା ଲାଗି ପ୍ରଚାର ଗାଡ଼ି ବୁଲାଇବା ଲାଗି ବ୍ୟବସ୍ଥା କରାଯାଉଛି। ଅଚିହ୍ନା ଓ ଅଜଣା ଲୋକଙ୍କୁ ବିଦ୍ୟୁତ୍‌ ବିଲ୍‌ ଦିଅନ୍ତୁ ନାହିଁ। ଏହାସହ ଯେଉଁମାନେ ବିଦ୍ୟୁତ୍‌ ସଂଗ୍ରହ କରିବେ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ଲାଗି ବ୍ୟବସ୍ଥା କରାଯାଉଛି।

– ଦୀପକ କୁମାର ରାଉତ, ଏସ୍‌ଡିଓ, ବିଦ୍ୟୁତ୍‌ ବିଭାଗ, ରେଢାଖୋଲ

You might also like