ରାଜଧାନୀରେ ଚାଞ୍ଚଲ୍ୟ: ବିଚ୍‌ ରାସ୍ତାରେ ଡ୍ରାଇଭରଙ୍କୁ ହାଣିଲେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ଛାତିଥରା ଘଟଣା ଘଟିଛି। ଦୁଇ ଜଣ ଯୁବକ ଜଣେ ପିକ୍ଅପ୍ ଭ୍ୟାନ ଡ୍ରାଇଭରଙ୍କୁ ଭୁଜାଲିରେ ହାଣି ହତ୍ୟା କରିଛନ୍ତି। ଘଟଣା ପରେ ହତ୍ୟାକାରୀଙ୍କୁ ପିସିଆର୍‌ ଭ୍ୟାନ୍‌ରୁ ଆଣି ଉତ୍ତ୍ୟକ୍ତ ଲୋକେ ନିସ୍ତୁକ ପିଟିଛନ୍ତି। ଦୁଇ ହତ୍ୟାକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି ଉତ୍ତ୍ୟକ୍ତ ଲୋକେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ନାଁ ଜଟିଆ ଓ ଆକ୍ରମଣକାରୀ ୨ ଭାଇ ହେଲେ ସୁଧୀର ଓ ସାଗର ବୋଲି ସୂଚନା ମିଳିଛି।

ଆଜି ମଧ୍ୟାହ୍ନ ସମୟରେ ଭୁବନେଶ୍ୱର ସିଆର୍‌ପି ଛକ ଅଞ୍ଚଳର ଭିଆଇପି କଲୋନୀରେ ପିକ୍‌ଅପ୍ ଭ୍ୟାନ୍‌ ଡ୍ରାଇଭର ଜଟିଆଙ୍କୁ ସୁଧୀର ଓ ସାଗର ଭୁଜାଲିରେ ହାଣି ହତ୍ୟା କରିଥିଲେ। ଡ୍ରାଇଭର ଓ ହତ୍ୟାକାରୀ ଦୁଇ ଭାଇ ଗୋଟିଏ ପିକ୍‌ଅପ୍ ଭ୍ୟାନ୍‌ରେ ଥିଲେ। ଜଟିଆ ଗାଡ଼ି ଚଲାଉ ଥିବାବେଳେ କୌଣସି କାରଣରୁ ସୁଧୀର ଓ ସାଗର ତାଙ୍କୁ ଭୁଜାଲି ଓ ଫାର୍ସାରେ ହାଣିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଗାଡ଼ିକୁ ଘେରି ଯାଇଥିଲେ। ସେଠାରେ ପୋଲିସ୍‌ ପହଞ୍ଚି ୨ ଭାଇଙ୍କୁ କାବୁ କରି ପିସିଆର୍‌ ଭ୍ୟାନରେ ବସାଇବା ସହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଡ୍ରାଇଭରଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପିସିଆର୍‌‌ ଭ୍ୟାନ୍‌ରେ ବସିଥିବା ଆକ୍ରମଣକାରୀ ଦୁଇ ଭାଇଙ୍କୁ ଟାଣି ଆଣି ବିଚ୍ ରାସ୍ତାରେ ନିର୍ଧୂମ ମାଡ଼ ମାରିଥିଲେ।

ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ମୃତ ପିକ୍‌ଅପ୍ ଭ୍ୟାନ୍‌ ଡ୍ରାଇଭର ଜଟିଆ ଓ ହତ୍ୟାକାରୀ ୨ ଭାଇ ସାଗର ଓ ସୁଧୀର ସାଲିଆ ସାହିରେ ରୁହନ୍ତି। ଏମାନେ ୩ ଜଣ ସାଙ୍ଗ ବୋଲି ଜଣାପଡ଼ିଛି।  ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥାଇ ପାରେ ବାଲି ଅନୁମାନ କରାଯାଉଛି।

ଘଟଣାକୁ ନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ‘୨ ଅଭିଯୁକ୍ତଙ୍କୁ ପିଟିଥିବା ଲୋକଙ୍କ ନାଁରେ ମାମଲା ରୁଜୁ ହେବ। ଅଭିଯୁକ୍ତଙ୍କୁ ମାଡ଼ ଘଟଣା ନେଇ ସାନି ମାମଲା ରୁଜୁ କରାଯିବ। ମାଡ଼ ମାରିଥିବା ଲୋକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭିଡିଓ ଫୁଟେଜ ଏବଂ ପିସିଆର୍ ଭ୍ୟାନ୍‌ର ଷ୍ଟାଫ୍‌ଙ୍କ ବୟାନ ଆଧାରରେ ମାଡ଼ ମାରିଥିବା ଲୋକଙ୍କୁ ଚିହ୍ନଟ କରାଯିବ।’ ତେବେ ଆଇନ୍‌କୁ ହାତକୁ ନନେବା ଲାଗି ଡିସିପି ଲୋକମାନଙ୍କୁ ନିବେଦନ କରିଛନ୍ତି।

ଦ୍ୱିପ୍ରହରରେ ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣାକୁ ନେଇ ସାଧାରଣ ଜନତାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

You might also like