ଗାଁରେ ବୁଲିଲା ଖଣ୍ଡା, ଭିଡିଓ ଭାଇରାଲ୍‌

ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ): ଗୋଷ୍ଠୀ ବିବାଦକୁ ନେଇ ଗାଁରେ ବୁଲିଲା ଖଣ୍ଡା ଓ ବନ୍ଧୁକ ଦେଖାଇ ଲୋକଙ୍କୁ ଧମକ। ଏଭଳି କିଛି ଦୃଶ୍ୟ ବାଲେଶ୍ୱରରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ବାଲେଶ୍ୱର ସଦର ବ୍ଲକ୍‌ ଅନ୍ତର୍ଗତ କେଶରପୁର ଗାଁରେ ଜଣେ ବ୍ୟକ୍ତିଙ୍କୁ ଇଲେକ୍ଟ୍ରିକ୍‌ ଲାଇନ୍ ନଦେବାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ଗୋଟିଏ ଗୋଷ୍ଠୀର ୨ ଜଣ ଯୁବକ ମୋଟର ସାଇକେଲରୁ ଓହ୍ଲାଇ ଅନ୍ୟ ଗୋଷ୍ଠୀକୁ ବନ୍ଧୁକ ଦେଖାଇଥିଲେ। ସେମାନେ ହାତରେ ଖଣ୍ଡା ମଧ୍ୟ ଧରିଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଥିଲା। ଗତ ୧୯ ତାରିଖରେ ଦିନ ଦ୍ୱିପ୍ରହରରେ ଏହି ଘଟଣା ଘଟିଥିଲା।

ଅନ୍ୟପକ୍ଷରେ ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରୁ କେହିବି ମୁହଁ ଖୋଲି ନାହାନ୍ତି। ସେପଟେ ଅଭିଯୁକ୍ତ ୨ ଯୁବକ ରାଜ୍ୟ ବାହାରକୁ ଚାଲି ଯାଇଥିବା ପୋଲିସ୍‌ ଅନୁମାନ କରୁଛି। ସେମାନଙ୍କୁ ଧରିବା ପାଇଁ ପୋଲିସ୍‌ ସେମାନଙ୍କ ଫୋନ୍‌କୁ ଟ୍ରାକ୍‌ କରୁଛି।

ଏହି ଘଟଣାକୁ ନେଇ ବାଲେଶ୍ୱର ସଦର ଏସ୍‌ଡିପିଓ କହିଛନ୍ତି, ପୋଲିସ ସେମାନଙ୍କୁ ଖୋଜୁଛି, ଖୁବ୍ ଶୀଘ୍ର ଧରାପଡ଼ିବେ।

ଦିନ ଦ୍ୱିପ୍ରହରେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହାସହ ଲୋକଙ୍କ ଜୀବନ କେତେ ସୁରକ୍ଷିତ, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

You might also like